ମାଲିକ ପାଇଁ ଜୀବନ ଦେଲା ’ଟାଇସନ୍‌’

କୋରପୁଟ: ମାଲିକ ପାଇଁ ଜୀବନ ଦେଲା ଟାଇସନ୍‌ । କୋରାପୁଟ ଜିଲ୍ଲା ସୁନାବେଡ଼ା ପବ୍ଲିକ ସ୍କୁଲରେ ରହୁଥିଲା ଅଢ଼େଇ ବର୍ଷର କୁକୁର ଟାଇସନ୍ । ଗତକାଲି ସନ୍ଧ୍ୟାରେ ଗ୍ୟାରେଜକୁ ଏକ ନାଗସାପ ପଶିଥିଲା । ମାଲିକ ପାଇଁ ବିଷଧର ନାଗ ସହ ଲଢିଥିଲା ବକ୍ସର ବ୍ରିଡର ଏହି କୁକୁର । ସାପ ଥିବା ଦେଖି ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲେ । ସାପକୁ ଦେଖି ସ୍କୁଲ କର୍ମଚାରୀ ୪ଟି ଯାକ କୁକୁରଙ୍କୁ ଘରେ ଭର୍ତ୍ତି କରି ଦେଇଥିଲେ । କିନ୍ତୁ ସାପଟି ସେତେବେଳକୁ ଟାଇସନର ମୁହଁକୁ ଚୋଟ ମାରିସାରିଥିଲା ।

ଏହାପରେ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପରାମର୍ଶ କ୍ରମେ ଟାଇସନକୁ ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଟାଇସନର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟି ଚାଲିଲା । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଟାଇସନର ଜୀବନ । ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ କହିଛନ୍ତି, ସରକାରୀ ଡାକ୍ତରଖାନାରେ ଆଣ୍ଟିଭେନମ ଅଛି, ହେଲେ କେବଳ ମଣିଷଙ୍କ ପାଇଁ । ଆଣ୍ଟିଭେନମ ଯୋଗାଡ ହୋଇନପାରିବାରୁ ଏମିତି ଅନେକ ପଶୁଙ୍କ ଜୀବନ ସାପ କାମୁଡାରେ ଯାଇଛି ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।