ଶିକ୍ଷକଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ ପୋର୍ଟାଲ ସାମ୍ବାଦିକ, ଗିରଫ କଲା ପୋଲିସ

ନବରଙ୍ଗପୁର: ସ୍କୁଲ ଶିକ୍ଷକଙ୍କୁ ଧମକ ସହ ଟଙ୍କା ନେବା ପଡ଼ିଲା ମହଙ୍ଗା । ଗିରଫ ହେଲେ ଦୁଇ ୱେବ୍ ପୋର୍ଟାଲର ସାମ୍ବାଦିକ । ଗିରଫ ଦୁଇ ଜଣ ସାମ୍ବାଦିକ ହେଲେ ଜିତେନ୍ଦ୍ର ଦାଶ ଓ ଶଙ୍କର ପ୍ରସାଦ ତୁରୁକ । ଏହାସହ ଅନ୍ୟ ଜଣେ ଓ୍ବେବ ପୋର୍ଟାଲ ସାମ୍ବାଦିକ ଫେରାର ଥିବା ବେଳେ ପୋଲିସ ଖୋଜୁଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ସ୍କୁଲର ସହକାରୀ ଶିକ୍ଷକଙ୍କଠୁ ଧମକାଇ ଟଙ୍କା ଆଦେୟ କରିଥିଲେ ୩ ଓ୍ବେବ ପୋର୍ଟାଲର ସାମ୍ବାଦିକ ।
ସୂଚନା ମୁତାବକ ଏହି ସାମ୍ବାଦିକ ୫୦ ହଜାର ଟଙ୍କା ଦାବି କରିଥିବା ବେଳେ ଶିକ୍ଷକଙ୍କ ଠାରୁ ଧମକାଇ ୩୫ ହଜାର ଟଙ୍କା ନେଇଥିଲେ । ଅଭିଯୁକ୍ତଙ୍କ ନାମରେ ଧମକ, ଗାଳି ଗୁଲଜ କରିବା ଏବଂ ଆଟ୍ରୋସିଟି ଭଳି ସଙ୍ଗିନ ଦଫା ଲଗାଇ ତଦନ୍ତ କରୁଛି ପୋଲିସ । ଦୁଇ ଦିନ ତଳେ ରାଜଧାନୀର ଜଣେ ପୋର୍ଟାଲ ସାମ୍ବାଦିଙ୍କୁ ମଧ୍ୟ ଅଶାଳୀନ ଭାଷା ବ୍ୟବହାର କରିବା, ଲାଞ୍ଚ ମାଗିବା ଆଦି ସଙ୍ଗୀନ ଦଫା ଲଗାଇ ଗିରଫ କରିଛି ମହିଳା ଥାନା ପୋଲିସ ।