ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ନିଖୋଜ ଦୃଷ୍ଟିହୀନ ଛାତ୍ରୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ବବିଦ୍ୟାଳୟର ୨ ନିଖୋଜ ଦୃଷ୍ଟିହୀନ ଛାତ୍ରୀ । ଉତ୍ତରପ୍ରଦେଶରୁ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛି ରେଲୱେ ପୋଲିସ । ଏନେଇ ସହିଦନଗର ପୋଲିସକୁ ଉତ୍ତରପ୍ରଦେଶ ପୋଲିସ ସୂଚନା ଦେଇଛି । ଗତ ୧୪ ତାରିଖରୁ ନିଖୋଜ ଥିଲେ ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରୀ । ଏନେଇ ପରିବାର ପକ୍ଷରୁ ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲା । ହଷ୍ଟେଲକୁ ଯିବା ପରେ ଯୁକ୍ତ ୩ରେ ପଢୁଥିବା ଏହି ଦୁଇ ଛାତ୍ରୀଙ୍କର କୌଣସି ଖୋଜ ଖବର ମିଳିନଥିଲା । ଏହାସହ ଚିଠି ମଧ୍ୟ ହସ୍ତଗତ ହୋଇଥିଲା । ସେମାନେ ଭଗବାନଙ୍କ ପାଖକୁ ଯାଉଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ । ଘଟଣା ପରଠାରୁ ଉଭୟଙ୍କ ଫୋନ୍ ସୁଇଚ୍‌ ଅଫ୍ ଥିଲା । ଆଜି ମଥୁରା ରେଲଓ୍ବେ ଷ୍ଟେସନରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ ଏହି ଦୁଇ ଦୃଷ୍ଟିହୀନ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ର ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ଵର ଉପକଣ୍ଠର ହୋଇଥିବା ବେଳେ ଅନ୍ୟ ଜଣେ ହଷ୍ଟେଲରେ ରୁହନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଘରୁ ପୋଲିସ ଏକ ଚିଠି ଠାବ କରିବା ସହ ସେଥିରେ ବାହାରକୁ ଚାଲିଯିବା କଥା ଉଲ୍ଲେଖ ରହିଥିଲା । ସେହିଭଳି ହଷ୍ଟେଲରେ ରହୁଥିବା ଯୁବତୀଙ୍କ ହଷ୍ଟେଲ ରୁମ୍ ଯାଞ୍ଚ ବେଳେ ସେ ଏକ ଚିପ୍ ଛାଡ଼ିକି ଯାଇଥିବା ଜଣାପଡ଼ିଛି । ଯେଉଁଥିରେ ସେ ନିଜ ଯିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।