ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ, ୬ ମୃତ

1 min read

ୱାଶିଂଟନ: ରଣକୌଶଳ ପ୍ରଦର୍ଶନ ବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ଟେକ୍ସାସ ଅନ୍ତର୍ଗତ ଡଲାସ ଏକଜିକ୍ୟୁଟିଭ ଏୟାରପୋର୍ଟରେ ହେଉଥିବା ଏୟାର ସୋ ବେଳେ ଘଟିଛି ଏହି ଅଘଟଣ । ଧକ୍କା ଖାଇ ଆକାଶ ମାର୍ଗରେ ହିଁ ଜଳିଗଲା ଏକ ବୋଇଂ ବି-17 ବମ୍ବର ଓ ଏକ କ୍ଷୁଦ୍ର ଓ୍ବାରପ୍ଲେନ। ତେବେ ଏହି ବିମାନ ଦୁର୍ଘଟଣା ନେଇ  ଆମେରିକା ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ସୂଚନା ଦେଇଛି।

ଭୂପୃଷ୍ଠରୁ କମ୍ ଉଚ୍ଚତାରେ ବି-17 ବମ୍ବର୍ ବିମାନ ଉଡୁଥିବାବେଳେ ସମ୍ମୁଖ ଭାଗରୁ ଆସୁଥିବା ଏକ ବେଲ୍ ପି-63 କିଙ୍ଗକୋବ୍ରା ଚପର ଧକ୍କା କରିଥିଲା । ଆକାଶମାର୍ଗରେ ହିଁ ଦୁଇ ବିମାନ ଖଣ୍ଡଖଣ୍ଡ ହୋଇ ଜଳିଯାଇଥିଲା । ଦୁର୍ଘଟଣାର କାରଣ ଅନୁଧ୍ୟାନ କରୁଛି ନ୍ୟାସନଲା ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ । ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବି-17 ବମ୍ବର ଶ୍ରେଣୀର ବିମାନକୁ ଏବେ ବି ଆମେରିକା ବାୟୁସେନା ବ୍ୟବହାର କରିଆସୁଛି । ଚାରି ଇଞ୍ଜିନ ବିଶିଷ୍ଟ ବି-17 ବୋମାବର୍ଷୀ ବିମାନ ଜର୍ମାନୀ ବିରୋଧରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । ସେହିପରି ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ବେଲ୍ ଏୟାରକ୍ରାଫ୍ଟ ପକ୍ଷରୁ ପି-63 କିଙ୍ଗକୋବ୍ରା ଉତ୍ପାଦିତ ହେଉଥିଲା ଯାହା ଆଜି ବି ଚାଲିଆସିଛି । ଗତ 2019 ଅକ୍ଟୋବର 2ରେ ଏକ ବି-17 ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ 7ଜଣ ।