ଓଡ଼ିଶାରେ ଚିହ୍ନଟ ହେଲେ ୨ଜଣ ଓମିକ୍ରନ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ଓମିକ୍ରନ । ରାଜ୍ୟରୁ ଚିହ୍ନଟ ହେଲେ ୨ଜଣ ଓମିକ୍ରନ ଆକ୍ରାନ୍ତ । ୨ ସଂକ୍ରମିତ ହେଲେ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର । ଏମାନେ ନାଇଜେରିଆ ଓ କତାରରୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ସୂଚନା ।

ଅନ୍ୟପକ୍ଷରେ ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଓମିକ୍ରନ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକରେ ଆଲୋଚନା ହୋଇଛି । ୨ ଓମିକ୍ରନ ଆକ୍ରାନ୍ତ ଖୋର୍ଦ୍ଧା ଓ ଜଗତସିଂହପୁରର । ଜଣଙ୍କର ବୟସ ୪୧ ଓ ଅନ୍ୟଜଣଙ୍କର ବୟସ ୪୩ । ଜଣେ ନାଇଜେରିଆ ଓ ଅନ୍ୟଜଣେ କତାର ଫେରନ୍ତା । ଜିନମ ସିକ୍ବେନ୍ସିଂରୁ ଉଭୟ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜଗତସିଂହପୁରର ଚିହ୍ନଟ ବ୍ୟକ୍ତି କଟକର ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।

ସେ ରହୁଥିବା ହୋଟେଲର ୬ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି । କର୍ମଚାରୀଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା କଟକ ଏଡିଏମଓ ସୂଚନା ଦେଇଛନ୍ତି । ତେବେ ୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି । ଉଭୟ ଭଲ ଅଛନ୍ତି । ଉଭୟଙ୍କ ସଂସ୍ପର୍ଶରେ ୨୧ଜଣ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ପୂର୍ବରୁ ଆଟ୍‌ ରିସ୍କ ଦେଶରୁ କଟକ ଆସିଥିବା ୭ଜଣ କୋଭିଡ ପଜିଟିଭଙ୍କ ଜିନ୍ ଅନୁଶୀଳନ ରିପୋର୍ଟରୁ ୪ ଜଣଙ୍କର ଓମିକ୍ରନ୍ ନେଗେଟିଭ ଆସିଥିଲା । ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି । ଆମେରିକାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ବିଶ୍ୱରେ ଓମିକ୍ରନ୍‌ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି । ପୂର୍ବରୁ ବ୍ରିଟେନରେ ଜଣଙ୍କ ଜୀବନ ନେଇଥିଲା ଓମିକ୍ରନ୍‌ ।

Leave a Reply