ବିଶ୍ବ ଦେଖୁଛି ଦୁଇ ଓଡ଼ିଆ ଛାତ୍ରୀଙ୍କ ଦକ୍ଷତା

ଭୁବନେଶ୍ବର: ବଛା ବଛା ବ୍ରେନ ସହ କଡ଼ା ମୁକାବିଲା । ବିଶ୍ବ ଦରବାରରେ ଓଡିଶା ମହିଳା ସଶକ୍ତିକରଣ ନମୁନା । ରୋବୋଟ ଇଣ୍ଟିଗ୍ରେସନରେ ୧୦ ଦେଶର ପ୍ରତିଯୋଗୀଙ୍କୁ ଟକ୍କର ଦେଉଛନ୍ତି ଓଡିଶାର ଦୁଇ ପ୍ରତିଭାବାନ ଛାତ୍ରୀ । ୧୫ଟି ଦେଶରେ ଚାଲିଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାର ଗୋଟିଏ ସଂସ୍କରଣ ଆରମ୍ଭ ହୋଇଛି ଫ୍ରାନ୍ସର ଲକ୍ସମବର୍ଗରେ । ରୋବୋଟ ଇଣ୍ଟିଗ୍ରେସନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ୧୧ ଦେଶର ୨୨ ଜଣ ପ୍ରତିଯୋଗୀ । ଆଗକୁ ରୋବୋଟ ଯୁଗ ଆସୁଥିବା ବେଳେ ଏହାର ନିର୍ମାଣ ଓ ଟେକ୍ନୋଲୋଜିକୁ ନେଇ ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଭବିଷ୍ୟତରେ ଏହି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ସୁଯୋଗ ମଧ୍ୟ ବୃଦ୍ଧି ପାଉଛି । ତେଣୁ ଲକ୍ସମବର୍ଗରେ ସ୍କୁଲର ଛୋଟ ଛୋଟ ପିଲାଙ୍କୁ ମଧ୍ୟ ରୋବୋଟ ଟେକ୍ନୋଲୋଜି ନେଇ ବିଦ୍ୟାଳୟ ସ୍ତରରୁ ପ୍ରଶିକ୍ଷଣ ଦିଆଯାଉଛି ।

ଚଳିତ ବର୍ଷ ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରୁ ଦୁଇ ଜଣ ଛାତ୍ରୀ ସ୍ବାତୀ କୁମାରୀ ଓ ନୌସିନ ନିଗାର ରୋବୋଟ ଇଣ୍ଟିଗ୍ରେସନରେ ନିଜର କମାଲ ଦେଖାଉଛନ୍ତି । ଏହା ରାଜ୍ୟରେ ନାରୀ ସଶକ୍ତିକରଣର ଆଉ ଏକ ନମୁନା । ଚଳିତ ବର୍ଷ ଓଡ଼ିଶାର ପ୍ରତିଯୋଗୀମାନେ ସବୁ ବର୍ଗର ପ୍ରତିଯୋଗିତାରେ ସାମିଲ ହୋଇନାହାଁନ୍ତି । ଆଗକୁ କିଭଳି ଅଧିକ ଛାତ୍ରଛାତ୍ରୀ ୱାର୍ଲ୍ଡ ସ୍କିଲ ପ୍ରତିଯୋଗିତାକୁ ଆସିବେ ସେନେଇ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଉଦ୍ୟମ କରୁଛି । ଏଥିସହିତ ରାଜ୍ୟର ପ୍ରତିଯୋଗୀଙ୍କୁ କିଭଳି ବିଶ୍ବସ୍ତରୀୟ ତାଲିମ ଦିଆଯାଇପାରିବ ସେନେଇ ଚେଷ୍ଟା କରାଯାଉଛି ।