ଟ୍ରମ୍ପଙ୍କ ଶପଥ: କାହାକୁ ନିମନ୍ତ୍ରଣ ? ଶପଥ ଗ୍ରହଣରେ କ’ଣ ରହିଛି ସ୍ବତନ୍ତ୍ରତା ?

ନନ୍ଦିଘୋଷ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପ ଆଜି ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ । ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ । ଶପଥ ନେବା ପରେ ଉଦବୋଧନ ଦେବେ ଡୋନାଲ୍ଡ ଟ୍ରମ୍ପ । ଏହି ଉତ୍ସବରେ ସାମିଲ ହେବା ପାଇଁ  ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ସାମିଲ ହେବେ । ଉତ୍ସବକୁ ଆହୁରି ରୋମାଞ୍ଚିତ କରିବା ପାଇଁ ପରେଡରେ ଭାଗ ନେବେ ସେନା, ସାମୁଦ୍ରିକ ସେନା, ନୌସେନା, ବାୟୁସେନା ସମେତ ତଟରକ୍ଷୀ ବାହିନୀ ଓ ମର୍ଚ୍ଚାଣ୍ଟ ମାରିନ ଏକାଡେମି । ଶପଥ ଗ୍ରହଣକୁ ଚିତ୍ତାକର୍ଷକ କରିବା ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଟ୍ରମ୍ପଙ୍କ ସମେତ ଜେଡି ବେନ୍ସ ମଧ୍ୟ ଉପରାଷ୍ଟ୍ରପତି ଭାବେ ଶପଥ ନେବେ । ଆମେରିକାର ମୁଖ୍ୟ ବିଚାରପତି ଜଷ୍ଟିସ ଜନ ରବର୍ଟସ ସେମାନଙ୍କୁ ଶପଥ ଗ୍ରହଣ କରାଇବେ । ଆମେରିକାରେ ଏହା ପ୍ରଥମଥର ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଗ୍ରାଣ୍ଡ ଭାବରେ ଆୟୋଜନ କରାଯାଇଛି ।

ସାମିଲ ହେବେ ନାମୀଦାମୀ ବ୍ୟକ୍ତି

ଏହି ଶପଥ ଗ୍ରହଣରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ବହୁ ନାମୀଦାମୀ ବ୍ୟକ୍ତି ଆସିଛନ୍ତି । ଭାରତରୁ ବିଦେଶ ମନ୍ତ୍ରୀ ଜୟଶଙ୍କର ସମେତ ଅମ୍ବାନୀ ପରିବାର ଟ୍ରମ୍ପଙ୍କ ଶପଥ ଗ୍ରହଣରେ ସାମିଲ ହେବେ । ଏହାସହିତ ଚୀନର ଉପରାଷ୍ଟ୍ରପତି ହାନ ଝୋଙ୍ଗ ମଧ୍ୟ ସାମିଲ ହେବେ । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜେଭିୟର ମେଲେଇ, ଇକ୍ବାଡୋର ରାଷ୍ଟ୍ରପତି ଡେନିଆଲ ନୋବେଆ, ଅଲସଲ୍ବାଡୋର ରାଷ୍ଟ୍ରପତି ନାୟବ ବୁକେଲେ, ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍ସୋନାରେ, ହଙ୍ଗେରୀ ପ୍ରଧାନମନ୍ତ୍ରୀ ଓ୍ବିକ୍ଟର ଓର୍ବାନ, ପୋଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ମାଟେଉଜ ମୋରାବିକ ଏବଂ ବ୍ରିଟେନର ନେତା ନାଇଜଲ ଫରାଜ ଇତ୍ୟାଦି ସାମିଲ ହେବେ । ଏହା ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବାରାକ ଓବାମା ଏବଂ ଜର୍ଜ ଡବ୍ଲ୍ୟୁ ବୁଶ ଆଦି ସାମିଲ ହେବେ । ମୁକେଶ, ନୀତା ଅମ୍ବାନୀଙ୍କ ସମେତ ଅରବପତି ଏଲନ ମସ୍କ, ଆମାଜନ ସିଇଓ ଜେଫ ବେଜୋସ, ମେଟା ସିଇଓ ଜୁକରବର୍ଗ, ଆପଲର ଟିମ କୁକ, ଓପନଏଆଇର ସ୍ୟାମ ଆଁଲଟନ ଏବଂ ଟିକଟିକର ପ୍ରମୁଖ ଶାଓ ଜୀ ଚ୍ୟୁ ମଧ୍ୟ ଏହି ଗ୍ରାଣ୍ଡ ଶପଥ ଗ୍ରହଣ ଉତ୍ସବର ସାକ୍ଷୀ ହେବେ ।

ଶପଥ ଗ୍ରହଣରେ ହେବ ଗ୍ରାଣ୍ଡ ସମାରୋହ

ବର୍ତ୍ତମାନ ଆମେରିକାରେ ପ୍ରବଳ ଶୀତ ଲହରୀ ଜାରି ଥିବାରୁ ଏହି ଶପଥ ଗ୍ରହଣ ସମାରୋହକୁ କ୍ୟାପିଟାଲ ହିଲ ଭିତର କ୍ୟାପିଟାଲ ରୋଟୁଣ୍ଡାରେ ଅନୁଷ୍ଠିତ ହେବ । ଆମେରିକା ସଂସଦ କ୍ୟାପିଟାଲ ହିଲରେ ପାଖାପାଖି ୭୦୦ଅତିଥିଙ୍କ ଗହଣରେ ଟ୍ରମ୍ପ ଶପଥ ନେବେ । ଆପଣଙ୍କୁ କହିରଖୁଛୁକି, ଟ୍ରମ୍ପଙ୍କ ଶପଥଗ୍ରହଣକୁ ଭବ୍ୟ କରିବା ପାଇଁ ୧୭କୋଟି ଡଲାର ଚାନ୍ଦା ଆଦାୟ କରାଯାଇଛି । ସର୍ବପ୍ରଥମେ ନିୟମାନୁଯାୟୀ ଜେଡି ବେନ୍ସ ପ୍ରଥମେ ଉପରାଷ୍ଟ୍ରପତି ଭାବେ ଶପଥ ନେବେ । ଏହାପରେ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ଶପଥ ଗ୍ରହଣ କରିବେ । କିନ୍ତୁ ଏହା ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପରେଡର ଝଲକ ମଧ୍ୟ ଦେଖିବାକୁ ମିଳିବ ।

୩୫ଶବ୍ଦ ମଧ୍ୟରେ ରହିବ ଟ୍ରମ୍ପଙ୍କ ଶପଥ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ମାତ୍ର ୩୫ଗୋଟି ଶବ୍ଦ ମଧ୍ୟରେ ରହିବ । ରାଷ୍ଟ୍ରପତି ଶପ୍ଥ ନେବାବେଳେ କହିବେ ଯେ, ମୁଁ ସତ୍ୟନିଷ୍ଠା ସହିତ ଶପଥ ନେଉଛି କି, ମୁଁ ଯୁକ୍ତ ରାଷ୍ଟ୍ର ଆମେରିକାରର ରାଷ୍ଟ୍ରପତି ପଦକୁ ନିଷ୍ଠାପୂର୍ବକ ନିର୍ବାହ କରିବି । ଏବଂ ନିଜର ପୂର୍ଣ୍ଣ କ୍ଷମତା ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନର ସଂରକ୍ଷଣ, ସୁରକ୍ଷା କରିବି ।

ଦୁଇଟି ବାଇବେଲ ଉପରେ ହାତରଖି ନେବେ ଶପଥ

ସୂଚନା ଅନୁଯାୟୀ ଟ୍ରମ୍ପ ଦୁଇଟି ବାଇବେଲକୁ ହାତରେ ଧରି ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ । ଗୋଟିଏ ବାଇବେଲ ତାଙ୍କ ମା’ ତାଙ୍କଚ ୧୯୫୫ରେ ପ୍ରଦାନ କରିଥିଲେ । ଯାହା ଉପରେ ହାତ ରଖି ସେ ପଦ ପାଇଁ ଶପଥ ନେବେ । ଏବଂ ଦ୍ବିତୀୟ ବାଇବେଲ ଲିଙ୍କନ ବାଇବେଲ ଅଟେ । ଭେଲବେଟ କପଡାରେ ଆଚ୍ଛାଦିତ ଏହି ବାଇବେଲ ଉପରେ ୧୮୬୧ ମସିହାରେ ଆବ୍ରାହମ ଲିଙ୍କନ ରାଷ୍ଟ୍ରପତି ପଦ ପାଇଁ ଶପଥ ନେଇଥିଲେ ।