ଏଥର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତ୍ରିରଙ୍ଗା

ଦିଗପହଣ୍ଡି: ଆସୁଛି ଅଗଷ୍ଟ ୧୫ ତାରିଖ । ତ୍ରିରଙ୍ଗାମୟ ହୋଇଯିବ ଦେଶର ସହରଠାରୁ ଗାଁ । ସ୍ୱାଧୀନତା ଦିବସ ପାଇଁ ସବୁଠି ଉତ୍କଣ୍ଠା । ଏବେଠାରୁ ବିଭିନ୍ନ ଦୋକାନରେ ଜାତୀୟ ପତାକା ବିକ୍ରି ଆରମ୍ଭ ହୋଇଗଲାଣି । ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତରଫରୁ ପ୍ରସ୍ତୁତ କରାଯାଉଛି ଜାତୀୟ ପତାକା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପୋଡାମାରି ଗ୍ରାମରେ ଥିବା ଜୟ ବଜାରଙ୍ଗୀ ଏସଏଚଜି ମହିଳାମାନେ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି । ଏହାକୁ ସେମାନେ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବେ ।

ଦେଶ ପାଇଁ ଜାତୀୟ ପତାକା ତିଆରି କରି ମହିଳାମାନେ ଖୁସି ଥିବା ବେଳେ ଅନ୍ୟପକ୍ଷେ ଏହାର ବିକ୍ରିରୁ ସେମାନେ ରୋଜଗାର କରିପାରୁଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ସ୍ବୟଂ ସହାୟକ ସଂଘର ମହିଳାମାନେ ।

ସ୍ବାଧୀନତା ଦିବସକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ମହିଳାମାନେ ଦିନରାତି ଏକ କରିଦେଇଛନ୍ତି । ସେମାନଙ୍କ ପାଖରେ ଗୋଟିଏ ଲକ୍ଷ୍ୟ ଜାତୀୟ ପତାକା ତିଆରି କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା । ଏଥିରେ ଲାଗିଛନ୍ତି ଗୋଷ୍ଠୀର ୩୨ ଜଣ ମହିଳା । କିଏ ତ୍ରିରଙ୍ଗା ପତାକାକୁ ଭଲ ସେ ମାପ କରି କଟୁଛନ୍ତି ତ ଆଉ କିଏ ସିଲେଇ କରୁଛନ୍ତି । ଆଉ କିଏ ପ୍ରସ୍ତୁତ ହୋଇ ସାରିଥିବା ତ୍ରିରଙ୍ଗାକୁ ସାଇତି ରଖୁଛନ୍ତି ।

ପୂର୍ବରୁ ମହିଳାମାନେ ମିଶନଶକ୍ତି ମାଧ୍ୟମରେ ଜୟ ବଜାରଙ୍ଗୀ ମହିଳା ସଙ୍ଘ  ସ୍ଥାପନ କରିବା ସହ ସ୍ଥାନୀୟ ପ୍ରସାଶନ ସହଯୋଗରେ ଗାଁର ଏକ କଲ୍ୟାଣି ମଣ୍ଡପରେ ଦୁଇବର୍ଷ ହେଲା କାମ କରି ଆସୁଛନ୍ତି । ପୂର୍ବରୁ ଅଙ୍ଗନବାଡି ଓ ବିଦ୍ୟାଳୟର ପିଲାମାନଙ୍କ ପାଇଁ ପୋଷାକ ତିଆରି କରୁଛନ୍ତି । ଏହାସହ ଧାନମଣ୍ଡି ନିଜ ହାତକୁ ନେଇ ବେଶ ଦୁଇ ପଇସା ରୋଜଗାର କରିଛନ୍ତି । ମହିଳାମାନଙ୍କ କାମ ପ୍ରତି ନିଷ୍ଠା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ହଜାର ଜାତୀୟ ପତାକା ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏତେ ବଡ଼ ଅର୍ଡର ମିଳିବା ପରେ ମହିଳାମାନେ କାମରେ ଲାଗି ପଡ଼ିଥିଲେ ।

ତେବେ ଅର୍ଥ ଅପେକ୍ଷା ତ୍ରିରଙ୍ଗା ପତାକା ତିଆରି କରି ବେଶ ଖୁସି ଥିବା କହିଛନ୍ତି ମହିଳାମାନେ । ଦିନେ ସ୍କୁଲରେ ତ୍ରିରଙ୍ଗା ଧରି ବୁଲୁଥିଲୁ ଆଜି ନିଜ ହାତରେ ଏହାକୁ ତିଆରି କରିବାର ସୁଯୋଗ ମିଳିଥିବାରୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ମହିଳାମାନେ ।