ଆହୁରି ତ୍ବରିତ ହେଲା ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ୫୦ କିମି ଟ୍ରାଏଲ ରନ୍

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ସହଯୋଗ ପରେ ଆହୁରି ତ୍ୱରିତ ହୋଇଛି ବଲାଙ୍ଗୀର ଖୋର୍ଦ୍ଧା ରେଳପଥ କାମ । ପ୍ରଥମ ଥର ପାଇଁ ସୋନପୁରରୁ ବଲାଙ୍ଗୀରକୁ ଟ୍ରେନର କରାଯାଇଛି ଟ୍ରାଏଲ ରନ । କମିଶନର ଅଫ ରେଲଓ୍ବେ ସେଫ୍ଟିଙ୍କ ତତ୍ତ୍ବାବଧାନରେ ୫୦ କିଲୋମିଟରର ଟ୍ରାଏଲ୍ ରନ ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗ ପରେ ବର୍ଷ ବର୍ଷ ଧରି ବିଳମ୍ବିତ ହୋଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରିତ ହୋଇଛି । ଏଥିପାଇଁ ୨୦୧୫ରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା ।

ଦଶପଲ୍ଲାରୁ ବଲାଙ୍ଗୀର ପର୍ଯ୍ୟନ୍ତ ରେଳଧାରଣା ଓ ଷ୍ଟେସନ ନିର୍ମାଣ ପାଇଁ ମାଗଣାରେ ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ନିର୍ମାଣ ବାବଦର ୫୦ ପ୍ରତିଶତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ସମୁଦାୟ ୩ ଶହ କିଲୋମିଟର ରେଳଲାଇନ ମଧ୍ୟରୁ ୧୪୩ କିଲୋମିଟର ରେଳପଥ ନିର୍ମାଣ ସରିଛି । ବଲାଙ୍ଗୀରରୁ ସୋନପୁର ଭିତରେ ମୋଟ ୩ଟି ଷ୍ଟେସନର ବି ନିର୍ମାଣ କାର୍ଯ୍ୟ ସରିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।