ପେଟ୍ରୋଲ ଓ ଡିଜେଲରୁ ୧ଲକ୍ଷ କୋଟିରୁ ଅଧିକ ଆୟ କଲେ କେନ୍ଦ୍ର ସରକାର: ଆୟରେ ୪୮ ପ୍ରତିଶତର ବୃଦ୍ଧି
1 min readନୂଆଦିଲ୍ଲୀ: ଚଳିତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ଭଳି ପେଟ୍ରୋଲିୟମ୍ ପଦାର୍ଥ ଉପରେ ଲାଗୁ ଟ୍ୟାକ୍ସ ଜରିଆରେ ସରକାର ୧ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି, ଯାହା ହାରାହାରି ପୂର୍ବ ଆଦାୟ ଅପେକ୍ଷା ୪୮ ପ୍ରତିଶତ ଅଧିକ । ଅର୍ଥମନ୍ତ୍ରାଳୟର କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ(ସିଜିଏ)ଙ୍କ ରିପୋର୍ଟରେ ପ୍ରକାଶ ।
ସୂଚନା ଯୋଗ୍ୟ ଯେ, ୨୦୧୬ରେ ବସ୍ତୁ ଏବଂ ସେବା କର ବା ଜିଏସ୍ଟି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପରେ ଆଭିଏସନ୍ ଟର୍ବାଇନ୍ ଫର୍ମୁଲା, ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଉପରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଏତଦ୍ବ୍ୟତୀତ ଅନ୍ୟ ସବୁ ଉତ୍ପାଦ ଉପରେ ମଧ୍ୟ ଜିଏସଟି ଆଦାୟ କରାଯାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ଆଦାୟ ହୋଇଥିବା ଟିକସ ପରିମାଣରେ ୪୮ ପ୍ରତିଶତର ବୃଦ୍ଧି ଘଟିଛି ।
ଗତ ବର୍ଷ ସରକାର ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ୧୯.୯୮ ପ୍ରତିଶତକୁ ବୃଦ୍ଧି କରି ଲିଟର ପିଛା ଦର ୩୨.୯ ଟଙ୍କା କରିଛନ୍ତି । ସେହିପରି ଡିଜେଲ ଉପରେ ୩୧.୮୦ ପଇସା ପ୍ରତି ଲିଟର ଶୁଳ୍କ ଆଦାୟ ହୁଏ । ଗତ ବର୍ଷ ତୁଳନାରେ ଚଳିତ ଥର ଅତିରିକ୍ତ ଟ୍ୟାକ୍ସ କଲେକ୍ସନ ହୋଇଛି । ସରକାରଙ୍କ ପକ୍ଷରୁ ଅଏଲ ବଣ୍ଡ ବାବଦକୁ ଦେବାକୁ ଥିବା ଟଙ୍କା ଠାରୁ ଚଳିତ ଆର୍ଥିକ ବର୍ଷରେ ୩ଗୁଣା ଅଧିକ ଟ୍ୟାକ୍ସ ଆଦାୟ ହୋଇଛି । ସିଏଜି ରିପୋର୍ଟ ଅନୁଯାୟୀ ଅପ୍ରେଲରୁ ଜୁଲାଇ ମଧ୍ୟରେ ଉତ୍ପାଦ ଶୁଳ୍କ ସଂଗ୍ରହ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥାତ ୧୦୦୩୮୭ ହୋଇଛି । ଯେତେବେଳେ କି ଗତ ବର୍ଷ ଏହି ଅବଧି ମଧ୍ୟରେ ସଂଗ୍ରହ ୬୭ହଜାର ୮୯୫ କୋଟି ସଂଗ୍ରହ କରିଥିଲେ ।
ଅର୍ଥାତ ଚଳିତ ବର୍ଷ ସରକାର ୩୨ହଜାର ୪୯୨ କୋଟି ଟଙ୍କାର ଅତିରିକ୍ତ ଟ୍ୟାକ୍ସ ଆଦାୟ କରିଛନ୍ତି । ଯେତେବେଳେ କି ପୂରା ବର୍ଷର ଅଏଲ ବଣ୍ଡ ବାବଦକୁ ସରକାରଙ୍କୁ ୧୦ହଜାର କୋଟି ଟଙ୍କା ଦେବାକୁ ପଡ଼ିଥାଏ । ଅଏଲ ବଣ୍ଡ ଏକ ସ୍ୱତନ୍ତ୍ର ଧରଣର ସିକ୍ୟୁରିଟି, ଯାହାକୁ ସରକାରଙ୍କ ପକ୍ଷରୁ ମାର୍କେଟିଂ କମ୍ପାନୀଙ୍କୁ କ୍ୟାସ୍ ସବ୍ସିଡି ଆକାରରେ ଦିଆଯାଏ । ଯାହା ଦ୍ୱାରା ତୈଳ ଦର ବୃଦ୍ଧିର ବୋଝ ସାଧାରଣ ଜନତାଙ୍କ ଉପରେ ପଡ଼ିବ ନାହିଁ ।