ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବେ ନବୀନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ମାଣ କାର୍ଯ୍ୟକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ସେ ସମ୍ପୂର୍ଣ୍ଣ ପ୍ରକଳ୍ପ ନେଇ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି । ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକିକରଣ କରାଯାଇଛି । ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ସ୍ଥାନୀୟ ଲୋକ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ନିଶ୍ଚିତ ଭାବେ ଚିତାକର୍ଷକ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।