କାଲି ସଚିବାଳୟ ସେବା ସଂଘ ନିର୍ବାଚନ

ଭୁବନେଶ୍ବର: ଦୁଇବର୍ଷ ପରେ ହେବାକୁ ଯାଉଛି ସଚିବାଳୟ ସେବା ସଂଘ ନିର୍ବାଚନ । ସଚିବାଳୟ ସେବା କ୍ୟାଡରର ନିର୍ବାଚନ ଆସନ୍ତାକାଲି ଓଡ଼ିଶା ସଚିବାଳୟ ସେବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏଥିପାଇଁ ଦୁଇଟି ପ୍ୟାନେଲ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଗୋଟିଏ ପ୍ୟାନେଲରେ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ସମେତ ୯ଟି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ସଚିବାଳୟରେ ଏଏସଓଠାରୁ ଆରମ୍ଭ କରି ଅତିରିକ୍ତ ଶାସନ ସଚିବ ପର୍ଯ୍ୟନ୍ତ ୨ ହଜାର ୨୦୦ କର୍ମଚାରୀ ନିର୍ବାଚନରେ ମତଦାନ କରିବେ । ଏଏସ୍‌ଓ ପଦବୀକୁ ସହାୟକ ସଚିବ ପଦବୀରେ ନାମିତ କରାଯିବା ସହ ସେମାନଙ୍କ ଗ୍ରେଡ୍‌ ପେ ୪ ହଜାର ୬୦୦ ଟଙ୍କା କରିବା ନେଇ ୧୯ ଦଫା ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ।

ସଚିବାଳୟ ସରକାରୀ କର୍ମଚାରୀଙ୍କ ସର୍ବପୁରାତନ ସେବା ସଂଘ ନିର୍ବାଚନ ଶେଷ ଥର ପାଇଁ ୨୦୧୭ରେ ହୋଇଥିଲା । ପ୍ରତି ଦୁଇବର୍ଷରେ ଥରେ ନିର୍ବାଚନ ହେବା କଥା । କିନ୍ତୁ ୨୦୧୯ରେ କୋଭିଡ ମହାମାରୀ ପାଇଁ କଟକଣା ଲାଗି ଯିବାରୁ ଦୁଇବର୍ଷ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ଏବେ କୋଭିଡ କଟକଣା ହଟିବା ପରେ ମଙ୍ଗଳବାର ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ମତଦାନ କରିବାକୁ ସଚିବାଳୟରେ କ୍ୟାମ୍ପେନିଂକୁ କରିଛନ୍ତି ଜୋରଦାର ।