ବିଶାଖାପଟନମ୍ ମନେ ପକାଇଲା ଭୋପାଳର ସେହି କାଳରାତି କଥା

ଭୋପାଳ: ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟନମର ଆରଏସ୍ ଭେଙ୍କଟାପୁରମ୍ ଠାରେ ଥିବା ଏଲଜି ପଲିମର ଇଣ୍ଡଷ୍ଟ୍ରିର ଏକ ଫାର୍ମା କମ୍ପାନୀରୁ ରାସାୟନିକ ଗ୍ୟାସ୍ ଲିକ୍ ହୋଇଛି । ଏହା ପରେ ସମଗ୍ର ସହରରେ ଭୟର ବାତାବରଣ ଦେଖାଦେଇଥିଲା । ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ଆସିନାହିଁ। ଏହି ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଏଯାଏଁ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ପାଖାପାଖି ୫୦୦୦ ଲୋକେ ଅସୁସ୍ଥ ହୋଇଛନ୍ତି । ତେବେ ଆଜିର ଏହି ଘଟଣା ଭୋପାଳ ଗ୍ୟାସ ଅଘଟଣ କଥା ମନେ ପକାଇଛି ।

ଭୋପାଳର କାଳରାତି

ମାନବ ଇତିହାସର ବଡ ଶିଳ୍ପ ଦୁର୍ଘଟଣା ଭିତରୁ ଗୋଟିଏ ହେଉଛି ଭୋପାଳ ଗ୍ୟାସ୍ ଲିକ୍ ଦୁର୍ଘଟଣା ।  ଭୋପାଲ ଗ୍ୟାସ ଦୁର୍ଘଟଣାରେ କିଛି ମିନିଟ ମଧ୍ୟରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା ।  ଆଜି ବି ଏହି ଦୁଃଖଦ ଘଟଣାର କ୍ଷତ ଲୋକଙ୍କ ହୃଦୟରେ ସତେଜ ଅଛି । ୧୯୮୪ ମସିହା ଡିସେମ୍ବର ମାସ ର ସେହି ଭୟଙ୍କର ରାତି ଏବେ ବି ସତେଜ ।

ଡିସେମ୍ବର ୩,୧୯୮୪

ଡିସେମ୍ବର ୩,୧୯୮୪ ମଧ୍ୟରାତ୍ରୀ । ସେଇ ରାତି ବାକି ରାତି ଭଳି ଥିଲା । ଭୋପାଳ ସେହି ଶିତୁଆ ରାତିରେ ଶୋଇଥିଲା । ଗାଢ ନିଦରେ । କିନ୍ତୁ ଭୋପାଳର ବାସିନ୍ଦା ଜାଣିନଥିଲେ ସେମାନଙ୍କ ପାଇଁ ଏହି ରାତି କେବେ ନପାହିବାର ରାତି ହେବାକୁ ଯାଉଥିଲା । ସେମାନେ ସବୁଦିନ ପାଇଁ ଶୋଇବାକୁ ଯାଉଥିଲେ । ୟୁନିୟନ କାର୍ବାଇଡ୍ ଫ୍ୟାକ୍ଟି୍ରୁ ମଧ୍ୟରାତ୍ରିରେ ଗ୍ୟାସ୍ ଲିକ୍ ଆରମ୍ଭ ହୋଇଥିଲା । ଲୋକ ଅସୁସ୍ଥ ହେବା ଆରମ୍ଭ କରିଥିଲେ । ଆଉ ତା’ପରେ ଆସିଥିଲା ମୃତ୍ୟୁ । ହଜାର ହଜାର ଲୋକ ମରିବାକୁ ଆରମ୍ଭ କରିଥିଲେ । କେହି ଜାଣି ପାରିନଥିଲେ କଣ ପାଇଁ । ସକାଳ ହେବା ବେଳକୁ ଭୋପାଳ ପାଲଟି ସାରିଥିଲା କବରର ସହର । ସରାକାରି ହିସାବରେ ମରିଥିଲେ ୩ ହଜାର । କିନ୍ତୁ ବେସରକାରୀ ହିସାବ ଥିଲା କାହିଁ ଅଧିକ । କୁହାଯାଏ ସରକାରୀ ନାଲି ଫିତା ତଳର ହିସାବ ଥିଲା ୧୫ ହଜାରରୁ ଅଧିକ । ତେବେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଏହାର ପରବର୍ତ୍ତି ବର୍ଷ ଗୁଡିକର ମଧ୍ୟ ଯୋଡି ହୋଇଥିଲା । ସେହି ସଂଖ୍ୟାକୁ ଯଦି ଯୋଡାଯାଏ ତେବେ ମୃତ୍ୟୁ ସଂଖ୍ୟା ଅଧିକ ହେବ ।

ଦୁର୍ଘଟଣାର ଦେବଦୂତ

ତେବେ ଏହି ଘଟଣା ପରେ  ଅବଦୁଲ ଜବରଙ୍କ ଭଳି ବ୍ୟକ୍ତି ଆଗକୁ ଆସିଥିଲେ । ଜବର ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିଲେ। ଏହି ଦୁର୍ଘଟଣା ତାଙ୍କ ଫୁସଫୁସ ଏବଂ ଆଖି ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥିଲା। ଏହି ଘଟଣାରେ ମୃତମାନଙ୍କୁ ନ୍ୟାୟ ଏବଂ ଉନ୍ନତ ଜୀବନ ଦେବା ପାଇଁ ସେ ତାଙ୍କର ବାକି ଜୀବନକୁ ଏକ ଆନ୍ଦୋଳନରେ ପରିଣତ କରିଥିଲେ। ସେ ଭୋପାଳ ଗ୍ୟାସ ପୀଡିତା ମହିଳା ଶିଳ୍ପ ସଂଗଠନ ଗଠନ କରିଥିଲେ । ଭୋପାଲ ଗ୍ୟାସ ଦୁର୍ଘଟଣାରୁ  ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ଏନଜିଓ ଗତ ତିନି ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି।

ଦୁର୍ଘଟଣାର ଖଳନାୟକ

ୱାରେନ୍ ଆଣ୍ଡରସନ୍ । ଆମେରିକା ନାଗରିକ । ୟୁନିୟନ କାର୍ବାଇଡ୍ ମୁଖ୍ୟ । ଦୁର୍ଘଟଣା ପରେ ପରେ ଆଣ୍ଡରସନ୍ ଭୋପାଲ ଆସିଥିଲେ । କିନ୍ତୁ ରହସ୍ୟମୟ ପରିସ୍ଥିତିରେ ସେ ପରେ ନିଜ ଦେଶକୁ ଫେରିଯାଇଥିଲେ । ଥରେ ଭାରତରୁ ଫେରାର ହେବା ପରେ ତାଙ୍କୁ ଆଉ କେବେ ମଧ୍ୟ ଭାରତ ଅଣାଯାଇ ପାରିନଥିଲା । ୨୦୧୪ ସେପ୍ଟେମ୍ବର ୨୯ ତାରିଖ ଦିନ ଆମେରିକାରେ ଆଣ୍ଡରସନଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ କେବେ ମଧ୍ୟ ତାଙ୍କୁ ଭାରତ ଅଣାଯାଇ ପାରିନଥିଲା । ରୁଷର ଚେର୍ଣ୍ଣୋବଲି ଦୁର୍ଘଟଣା ପରେ ସବୁଠୁ ବଡ ଶିଳ୍ପ ଦୁର୍ଘଟଣାର ଏହି ଖଳନାୟକ ପାଖକୁ  ଭାରତୀୟ ଆଇନର ହାତ କେବେ ମଧ୍ୟପହଂଚି ପାରିନଥିଲା ।

 

Leave a Reply