ହନୁମାନ ଚାଳିଶା ରାଜନୀତି: ଆଜି ରାଣା ଦମ୍ପତିଙ୍କୁ କୋର୍ଟ ଚାଲାଣ

1 min read

ମୁମ୍ବାଇ: ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ହନୁମାନ ଚାଳିଶା ପାଠ ବିବାଦ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବାକୁ ସ୍ବାଧୀନ ସାଂସଦ ନଭନୀତି ରାଣା ଘୋଷଣା କରିବା ପରଠାରୁ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି । ଆଉ ଏହାରି ଭିତରେ ନଭନୀତି ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ଗିରଫଦାରୀ ନିଆଁରେ ଘିଅ ଢାଳିବା ପରି ହୋଇଛି ।

ଗତକାଲି ଗିରଫ ହୋଇ ପୂରା ରାତି ଜେଲରେ କାଟିଥିବା ରାଜନେତା ଦମ୍ପତିଙ୍କୁ ଆଜି ବାନ୍ଦ୍ରା କୋର୍ଟରେ ହାଜର କରାଯିବ । ସେମାନଙ୍କ ବିରୋଧରେ ଧାରା ୧୫୩ (ଏ)ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବଢାଇବା ମାମଲା ରୁଜୁ କରାଯାଇଛି ।

ଗତକାଲି ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ନଭନୀତି ଏବଂ ତାଙ୍କ ସ୍ବାମୀ ଘୋଷଣା କରିଥିଲେ । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ଶହ ଶହ ଶିବସେନା ସମର୍ଥନ ରାଣା ଦମ୍ପତିଙ୍କ ଘର ଆଗରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ସେତିକି ନୁହେଁ, ଉତ୍ତପ୍ତ ଶିବସେନା କର୍ମୀ ବାରିକେଡ ଭାଙ୍ଗି ରାଣା ଦମ୍ପତିଙ୍କ ଘରେ ପଶିବାକୁ ମଧ୍ୟ ଚେଷ୍ଟା କରିଥିଲେ । ପୂରା ଦିନ ଏମାନଙ୍କ ଘର ଆଗରେ ଶିବସେନା କର୍ମୀ ଉତ୍ପାତ ମଚାଇଥିଲେ । ଏହାରି ଭିତରେ ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ପୋଲିସ ରାଣା ଦମ୍ପତିଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚି ଥିଲେ । ଯାହାକୁ ନେଇ ଉଭୟଙ୍କର ପୋଲିସ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଶେଷରେ ପୋଲିସ ସେମାନଙ୍କୁ ଗିରଫ କରି ଖାର ପୋଲିସ ଷ୍ଟେସନକୁ ନେଇଥିଲା । ସେଠାରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ।

ସେପଟେ ହଙ୍ଗାମାକୁ ନେଇ ରାଣା ଦମ୍ପତି ଶିବସେନା ବିରୋଧରେ ମାମଲା ରୁଜୁ କରିଛନ୍ତି । ଏଥିରେ ସେମାନଙ୍କୁ ହତ୍ୟା କରାଯିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ଉଭୟ ।

[DISPLAY_ULTIMATE_SOCIAL_ICONS]