୩ ରାଜ୍ୟସଭା ଆସନ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର: ୩ଟି ଆସନ ପାଇଁ ହେଉଥିବା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାରର ଆଜି ଶେଷ ଦିନ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ସମୟ । ଏହି ସମୟରେ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତେବେ ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେଣୁ ନିର୍ଦ୍ୱନ୍ଦ୍ବରେ ଏହି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବେ । ଅପରାହ୍ନ ୩ଟା ପରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର ଏନେଇ ବିଧିବଦ୍ଧ ଘୋଷଣା କରିବା ସହ ରାଜ୍ୟସଭା ପାଇଁ ନିର୍ବାଚିତ ସାର୍ଟିଫିକେଟ ପ୍ରଦାନ କରିବେ ।

ଜୁଲାଇ ୧ ତାରିଖରେ ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ଏହି ୩ ଆସନରେ ନିର୍ବାଚନ ହେଉଥିଲା । ସେହିପରି କଟକ ମେୟର ଭାବେ ସୁବାସ ସିଂ ନିର୍ବାଚିତ ହେବା ପରେ ତାଙ୍କ ଆସନରେ ଉପନିର୍ବାଚନ ହେଉଛି । ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନାମାଙ୍କନ ଦାଖଲ କରିଛନ୍ତି । ଆଜି ତାଙ୍କ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟାର ଶେଷ ଦିନ ରହିଛି । ତେଣୁ ସେ ବି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେବେ ।