ଫସଲ ବୀମା ପ୍ରଦାନରେ କେନ୍ଦ୍ର ଅବହେଳା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ଦେବ ଧାରଣା

ଭୁବନେଶ୍ବର: ଚାଷୀଙ୍କୁ ହତାଦର କରୁଛନ୍ତି କେନ୍ଦ୍ର ସରକାର । ଫସଲ ବୀମା ରାଶି ପ୍ରଦାନରେ ଅବହେଳା କରୁଛନ୍ତି ବୀମା କମ୍ପାନୀ । ବୀମା କମ୍ପାନୀ ମାଲେମାଲ୍ ହେଉଥିବା ବେଳେ ଚାଷୀ ହେଉଛନ୍ତି ହତାଦର । ମାତ୍ର ଚୁପ୍ ବସିଛନ୍ତି କେନ୍ଦ୍ର ସରକାର । ପ୍ରତିବାଦରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି । ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ।

ସେହିପରି ରାଜଭବନ ଆଗରେ ମଧ୍ୟ ପ୍ରତିବାଦ କରିବ ଦଳ । ବୀମା ନମିଳିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି । ବୀମା କମ୍ପାନୀ ଚାଷୀଙ୍କୁ ଶୋଷୁଥିବା ବେଳେ, କେନ୍ଦ୍ର ସରକାରଙ୍କ ଅପାରଗତା ଦୁର୍ଭାଗ୍ୟଜନକ । ବିଶେଷ କରି ପଶ୍ଚିମ ଓଡିଶାର ଚାଷୀ ବହୁ କ୍ଷତି ସହୁଛନ୍ତି । ଫସଲ ବୀମାରେ ପଶ୍ଚିମ ଓଡ଼ିଶା ଚାଷୀଙ୍କ ୫୦୦ କୋଟି ଟଙ୍କା ବକେୟା ପଡିଛି । ଠିକ୍ ସମୟରେ ବୀମା ରାଶି ମିଳୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରାପ୍ୟ ନଦେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେଡି ।