ଚୀନକୁ ଭାରତୀୟ ସେନାର ଜବାବ: ତ୍ରିରଙ୍ଗା ଉଡ଼ାଇ ଦେଲେ ଏଭଳି ବାର୍ତ୍ତା

ପଙ୍ଗୋଙ୍ଗ: ଚୀନର ଡ୍ରାଗନ୍‌ ସେନାଙ୍କୁ ଭାରତୀୟ ସେନାର କଡ଼ା ଜବାବ । ଚୀନ୍ ସୈନ୍ୟ ସ୍ୱଦେଶ ପତାକା ଉଡ଼ାଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ନୂଆବର୍ଷରେ ଭାରତୀୟ ଯବାନ୍ ଗଲଓ୍ୱାନ ଘାଟି​ରେ ତ୍ରିରଙ୍ଗା ଉଡ଼ାଉଥିବାର କିଛି ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି । ନିକଟରେ ଚୀନ ସେନାଙ୍କ ପକ୍ଷରୁ ସ୍ୱଦେଶ ପତାକା ଉଡ଼ାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଚୀନ୍‌ର ସୋସିଆଲ ମିଡିଆ ୟୁଜର୍ସ ଦାବି କରୁଛନ୍ତି ଯେ, ଏହି ଭିଡିଓଟି ଗଲଓ୍ୱାନ ଘାଟିର ସେହି ସ୍ଥାନ, ଯେଉଁଠି ହିଂସା ହୋଇଥିଲା। କିନ୍ତୁ ବାସ୍ତବରେ ଏହି ସ୍ଥାନଟି ହିଂସାକାଣ୍ଡ​‌ ହୋଇଥିବା  ସ୍ଥାନଠାରୁ ବହୁତ ଦୂରରେ ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ଫଟୋଟି​‌ରେ ଭାରତୀୟ ଯବାନ୍ ରାଷ୍ଟ୍ରୀୟ ପତାକା ଉଡ଼ାଉଥିବା ନଜର ଆସିଥିଲେ । ସୂଚନା ଥାଉକି, ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ଠୁଳ କରିଛି ୬୦ ହଜାରରୁ ଅଧିକ ସୈନ୍ୟ । ପ୍ରବଳ ବରଫପାତ ସତ୍ତ୍ୱେ ଚୀନର ଏହି ପଦକ୍ଷେପ ଭାରତ ଲାଗି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରତିବଦଳରେ ଭାରତ ମଧ୍ୟ ଏଲଏସି ନିକଟରେ ସୈନ୍ୟ ଠୁଳ ପ୍ରକ୍ରିୟା ଆରମ୍ଭ କରିଛି । କିଛି ଦିନ ତଳେ ଚୀନ ନିଜର ଗ୍ରୀଷ୍ମକାଳୀନ ପ୍ରଶିକ୍ଷିତ ସୈନ୍ୟଙ୍କୁ ହଟାଇ ନେଇଥିଲା । ମାତ୍ର ଏବେ ପ୍ରବଳ ଶୀତ ସତ୍ତ୍ୱେ ସେଠାରେ ଚୀନ ନିଜ ସୈନ୍ୟ ଠୁଳ କରିଛି ।

ଜବାବ ଦେବା ଲାଗି ସେଠାରେ ଭାରତୀୟ ସେନା ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଫର୍ମ ଫୋର୍ସ ମୁତୟନ କରିଛି । ସେଠାରେ ସେମାନେ ଲଦାଖ ଥିଏଟରର ୧୪ କର୍ପସକୁ ସହାୟତା କରିବେ । ଏହାସହ ଭାରତୀୟ ସେନା ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଏଲଏସିର ନିକଟତର ହୋଇଛି । ଯଦି ଆବଶ୍ୟକ ପଡ଼େ ତେବେ ଜରୁରୀକାଳୀନ ଭାବେ ଆଗକୁ ମାଡ଼ିବା ଲାଗି ରଣନୀତି ସ୍ଥିର ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ବାରମ୍ବାର ଉଦ୍ୟମ ହୋଇଥିବା ସତ୍ତ୍ୱେ ଚୀନ ସବୁବେଳେ ନିୟମର ଉଲ୍ଲଂଘନ କରୁଛି । ସୀମା ସୁରକ୍ଷା ନେଇ ଗତ ଜାନୁଆରୀ ୧ ତାରିଖରୁ ଚୀନ ନୂଆ ଆଇନ ବଳବତ୍ତର କରିଥିବା ବେଳେ ଏହାକୁ ନେଇ ଭାରତ ଚିନ୍ତାବ୍ୟକ୍ତ କରିଥିଲା ।

ପୁଣି ଥରେ ଏଲଏସିରେ ସୈନ୍ୟ ମୁତୟନ ନେଇ ଚୀନ ଏକ ଷଡଯନ୍ତ୍ର କରୁଥିବା ସ୍ପଷ୍ଟ ହୋଇଛି । ସେପଟେ ଲଦାଖ ଅନ୍ତର୍ଗତ ଏଲଏସିର ୩୦ କିଲୋମିଟର ଦୂରରେ ଅବସ୍ଥିତ ପଙ୍ଗୋଙ୍ଗ ହ୍ରଦରେ ଚୀନ ଏକ ପୋଲ ତିଆରି କରୁଛି । ଯାହା ସୈନ୍ୟ ଚଳପ୍ରଚଳ କ୍ଷେତ୍ରରେ ସହାୟକ ହେବ । ସେହିପରି ଏହି ହ୍ରଦ ନିକଟସ୍ଥ ଦୌଲତ ବେଗ୍ ଓଲଡି ଅଞ୍ଚଳରେ ଚୀନ ରାସ୍ତା ନିର୍ମାଣ କାର୍ଯ୍ୟ କରିଚାଲିଛି, ଯାହାକୁ ଭାରତ ବିରୋଧ କରୁଛି ।

Leave a Reply