ତାତି ସାଙ୍ଗକୁ କଲବଲ କରିବ କାଳବୈଶାଖୀ, ଆସନ୍ତାକାଲି ପର୍ଯ୍ୟନ୍ତ ୯ ଜିଲ୍ଲାକୁ ୟେଲୋ ଆଲର୍ଟ

1 min read

ଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆଗକୁ ପ୍ରବଳ ତାତି ସାଙ୍ଗକୁ କଲବଲ କରିବ କାଳବୈଶାଖୀ । ଆସନ୍ତାକାଲି ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଫଳରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଆଜି ଓ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଜପତି ଆଦି ଜିଲ୍ଲାରେ ବର୍ଷା ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ତାତିରୁ ମିଳିବନି ମୁକ୍ତି । ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆକଳନ କରାଯାଇଛି । ବିଶେଷ କରି ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ବୌଦ୍ଧରେ ତାପମାତ୍ରା ବୃଦ୍ଧି ପାଇବ । ସେପଟେ ଆଜି ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ । ତେବେ ଏହା ଅଧିକ ଘନୀଭୂତ ହେବା ନେଇ ଆସନ୍ତାକାଲି ଭିତରେ ସ୍ପଷ୍ଟ ସୂଚନା ମିଳିପାରିବ ।