ମାଡ଼ ଭୟରେ ଫେରାର ୩ ଶିଶୁ ଉଦ୍ଧାର

ରାଉରକେଲା: ମାଡ଼ ଭୟରେ ଘର ଛାଡି ପଳାଇଥିବା ୩ ଶିଶୁଙ୍କୁ ସମ୍ବଲପୁରରୁ ଉଦ୍ଧାର କରାଯାଇଛି । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଆଜି ଉଦ୍ଧାର ତିନି ପିଲା ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ପରିବାର ଲୋକେ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ପୋଲିସ ସୂଚନା ଅନୁସାରେ, ପିଲା ତିନି ଜଣ ମାଲଗୋଦାମ ବସ୍ତିର ଏକ ଦୋକାନରୁ ପାଣି ବୋତଲ ଚୋରି କରିବା ବେଳେ ଦୋକାନୀ ସେମାନଙ୍କୁ ଧରିଥିଲା । ଏହାସହ ଦୋକାନୀ ଜଣଙ୍କ ପିଲାମାନଙ୍କୁ ମାଡ଼ ମାରିଥିଲା । ଏହାକୁ ନେଇ ପିଲା ତିନି ଜଣ ଭୟଭିତ ହୋଇ ଯାଇଥିଲେ ।   ପିଲାମାନେ ଘରକୁ ଫେରିବା ପରେ ସନ୍ଧ୍ୟାରେ ରାଜାରାଣୀ ଟ୍ରେନରେ ବସି ସମ୍ବଲପୁର ପଳାଇ ଯାଇଥିଲେ । ସେଠାରେ ସେମାନଙ୍କୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ ଉଦ୍ଧାର କରି ଶିଶୁ ସୁରକ୍ଷା ଗୃହରେ ରଖିଥିଲେ । ଖବର ପାଇବା ପରେ ଉଦିତନଗର ଥାନା ପୋଲିସ ସେଠାରେ ପହଞ୍ଚି ପିଲା ତିନି ଜଣଙ୍କୁ ଉଦ୍ଧାର କରି ଆଣିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।