ଫେବ୍ରୁଆରୀ ଆରମ୍ଭରୁ ଏହି ୬ ପରିବର୍ତ୍ତନ ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ

1 min read

ନୂଆଦିଲ୍ଲୀ: ଏକ ଫେବ୍ରୁଆରୀ ଅର୍ଥାତ୍ ଆସନ୍ତା କାଲିଠାରୁ ଭାରତରେ ୬ ବଡ ଧରଣର ପରିବର୍ତ୍ତନ ଆସୁଛି । ଏହି ପରିବର୍ତ୍ତନ ଆପଣଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ । ନୂଆ ଆରମ୍ଭ ଆପଣଙ୍କ ପାଇ ଆଣିବ କିଛି ଆଶ୍ୱସ୍ତି । ଅନ୍ୟପକ୍ଷରେ କିଛି କଥାକୁ ଧ୍ୟାନରେ ନରଖିଲେ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିବ । ଏହାମଧ୍ୟରୁ କିଛି ଏଭଳି ପରିବର୍ତ୍ତନ ରହିଛି ଯାହା ଆପଣଙ୍କ ପର୍ସ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏକ ଫେବ୍ରୁଆରୀରୁ କ’ଣ ସବୁ ବଦଳିବାକୁ ଯାଉଛି ।

କାଲି ଆସିବ ବଜେଟ


୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ବଜେଟ ଉପସ୍ଥାପନା କରିବେ । ପ୍ରଥମ ଥର ପାଇଁ ଏଥରକ ବଜେଟ୍ ପେପରଲେସ୍ ହେବ । କରୋନା ଓ ଲକଡାଉନରେ ବେହାଲ ନାଗରିକଙ୍କୁ ଏଥର କିଛି ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ଚାକିରିଆଙ୍କ ଟ୍ୟାକ୍ସ କମିପାରେ । ବ୍ୟବସାୟୀଙ୍କୁ ମଧ୍ୟ ସରକାର ଆଶ୍ୱସ୍ତି ଦେଇ ପାରନ୍ତି । ତେବେ କିଛି ଜିନିଶ ମହଙ୍ଗା ହେବାର ଆଶଙ୍କା ରହିଛି । ସରକାର ଅନେକ ବସ୍ତୁ ଉପରେ ସୀମା ଶୁଳ୍କ ହ୍ରାସ କରିବା ସମ୍ଭାବନା ରହିଛି ।

ପିଏନବି ଖାତାଧାରୀ ଏହି ଏଟିଏମରୁ ଉଠାଇ ପାରିବେ ନାହିଁ ଟଙ୍କା


ପଂଜାବ ନ୍ୟାଶନାଲ ବ୍ୟାଙ୍କ ନିଜ ଖାତା ଧାରକଙ୍କୁ ଜାଲସାଜିରୁ ବଂଚାଇବା ପାଇଁ ଏକ ବଡ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଅନ୍ତର୍ଗତରେ ପିଏନବି ଗ୍ରାହକ ୧ ଫେବ୍ରୁଆରୀରୁ ନନ-ଇଏମଭି ଏଟିଏମ ମେସିନରୁ ଟଙ୍କା ଉଠାଇ ପାରିବେ ନାହିଁ । ନିକଟରେ ପିଏନବି ପକ୍ଷରୁ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା । ପଂଜାବ ନ୍ୟାସନାଲ ବ୍ୟାଙ୍କର ଏହି ପଦକ୍ଷେପ କେତେ ପ୍ରଭାବଶାଳୀ ରହିବ ତାହା ଦେଖିବାକୁ ରହିଲା ।

ଏଲପିଜି ମୂଲ୍ୟ ବଦଳିବ

ପ୍ରତି ମାସରେ ତୈଳ କମ୍ପାନୀ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରିଥାନ୍ତି । ପ୍ରତି ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ରହିଥାଏ । ଏହି ହିସାବରେ ଏଲପିଜି ଦର ବିଭିନ୍ନ ରାଜ୍ୟରେ ଅଲଗା ହୋଇଥାଏ । ୧ ଫେବ୍ରୁଆରୀ ଦିନ ଆସନ୍ତା ମାସ ପାଇଁ ମୂଲ୍ୟର ଘୋଷଣା ହେବ । ସୂଚନାଯୋଗ୍ୟ ଯେ, ଗ୍ୟାସ ମୂଲ୍ୟ ପ୍ରତି ମାସରେ ବଦଳିଥାଏ । ଅନ୍ତର୍ଜାତୀୟ ବଜାର ଆଧାରରେ ମୂଲ୍ୟ ନିର୍ଧାରଣ ହୋଇଥାଏ । ବର୍ତ୍ତମାନ ସମୟରେ ନୂଆଦିଲ୍ଲୀରେ ୧୪.୨ କିଲୋ ଓଜନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ରହିଛି ।

ଆରମ୍ଭ ହେବ ରେଲୱେର ଇ-କ୍ୟାଟେରିଂ ସେବା


କରୋନା ଭାଇରସ କାରଣରୁ ଭାରତୀୟ ରେଳବାଇର ଇ-କ୍ୟାଟେରିଂ ସେବା ଗତ ୧୦ ମାସ ଧରି ବନ୍ଦ ଥିଲା । ଯାହାକୁ ଫେବ୍ରୁଆରୀ ଏକ ତାରିଖରୁ ପୁଣି ଥରେ ଆରମ୍ଭ କରାଯାଉଛି । ଭାରତୀୟ ରେଳବାଇ ପକ୍ଷରୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ତେବେ ଆରମ୍ଭରେ ଏହି ସେବା କେବଳ କିଛି ନିର୍ଦ୍ଦିଷ୍ଠ ଷ୍ଟେଶନରେ ଉପଲବ୍ଧ ହେବ ।

ନୂଆ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆ ଏକ୍ସପ୍ରେସ୍


ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ନୂଆ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବାବଦରେ ଘୋଷଣା କରାଯାଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ଫେବ୍ରୁଆରୀ ୨୭ ମାର୍ଚ୍ଚ ମଧ୍ୟରେ ତ୍ରିଚି ଓ ସିଙ୍ଗାପୁରକୁ ନିୟମିତ ଫ୍ଲାଇଟ୍ ସେବା ପ୍ରଦାନ କରିବ । ଏହି ରୁଟରେ ଆହୁରି ମଧ୍ୟ କନେକ୍ସନ ହେବ । କୁଏଟରୁ ବିଜୟୱାଡା,ହାଇଦ୍ରାବାଦ,ମାଙ୍ଗାଲୁରୁ,କୋଝିକୋଡେ,କୁନ୍ନୁର ଓ କୋଚ୍ଚି ମଧ୍ୟରେ ଉଡାଣ ଆରମ୍ଭ ହେବ ।

ଓଟିପି ଓ ଆଇରିସ୍ ଅଥେଣ୍ଟିକେସନରେ ମିଳିବ ରାସନ


ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡ ଧାରକଙ୍କୁ ଅନ୍ନପୂର୍ଣ୍ଣା ଓ ଅନ୍ତୋଦୟର ରାଶନ ବାୟୋମେଟ୍ରିକ ପରିୟତ ଜରିଆରେ ମିଳୁଥିଲା । ଫେବ୍ରୁଆରୀରୁ ଏଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ । ଯେଉଁଥିରେ ମୋବାଇଲ ଓଟିପି ଓ ଆରିସି ଅଥେଣ୍ଟିକେସନର ଆବଶ୍ୟକତା ପଡିବ । ୧ ଫେବ୍ରୁଆରୀଠାରୁ ଏହି ଯୋଜନା ତେଲେଙ୍ଗାନାରେ ଲାଗୁ ହେବ । କରୋନା କାରଣରୁ ସରକାର ବାୟୋମେଟ୍ରିକ୍ ଅଥେଣ୍ଟିକେସନକୁ ସରକାର ବନ୍ଦ କରି ଦେଇଛନ୍ତି । ରାସନ ପାଇବା ପାଇଁ ସବୁ କାର୍ଡ ଧାରକଙ୍କ ନିଜ ଆଧାର ନମ୍ବରକୁ ମୋବାଇଲ ନମ୍ବର ସହ ଯୋଡିବାକୁ ପଡିବ ।

Leave a Reply