ରାଜଧାନୀରେ ହେବ ଜୋରଦାର ଚେକିଂ, ରାସ୍ତାରେ ଗଡ଼ିପାରିବନି ଅନ୍‌ଫିଟ୍‌ ଗାଡ଼ି

Vehicle Checking

ଭୁବନେଶ୍ୱର: ଯାନବାହାନ ଜନିତ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ପରିବହନ ବିଭାଗର ଆଉ ଏକ ନୂଆ ପ୍ରୟାସ । ଏଣିକି ଭୁବନେଶ୍ୱର ୧ ଏବଂ ଭୁବନେଶ୍ୱର ୨ ଅନ୍ତର୍ଗତ ସମସ୍ତ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ସମେତ ସମସ୍ତ ଭାରିଯାନର ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍ କଡ଼ାକଡ଼ି ଯାଞ୍ଚ ହେବ ।

ରୋବୋଟ୍ ଦେବ ଫିଟନେସ୍ ସାର୍ଟିଫିକେଟ୍ । ଗଳାବାଟରେ ଲାଗିବ ରୋକ୍ । କଡାକଡି ହେବ ପ୍ରଦୂଷଣ ଯାଞ୍ଚ । ଆଉ ପରିବହନ ଅଧିକାରୀ ଖାମାଖିଆଲି ଭାବେ ଗାଡ଼ିକୁ ଦେଖି ସାର୍ଟିଫିକେଟ ଦେବେନି । ଏଣିକି ଯାନବାହାନ ରାସ୍ତାରେ ଗଡ଼ିବା ପାଇଁ କେତେ ଫିଟ୍ ଆଉ କେତେ ଅନଫିଟ୍ ତାର ସାର୍ଟିଫିକେଟେ ଦେବ ରୋବୋଟ୍ । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏଣିକି ଦୁଇ, ଚାରି ଚକିଆ ଓ ଭାରିଯାନଗୁଡ଼ିକର ଫିଟନେସ୍ ପରଖିବା ପାଇଁ ରୋବୋଟ୍‌ର ସହାୟତା ନେବ ରାଜ୍ୟ ପରିବହନ ବିଭାଗ । ଏଥିପାଇଁ ଆବଶକୀୟ ଭିତ୍ତିଭୂମି ଓ କ୍ଷେତ୍ର ପ୍ରସ୍ତୁତି କରାଯାଉଛି । କେବଳ ଭୁବନେଶ୍ୱର ଆରଟିଓ ୧ ଏବଂ ୨ ପାଇଁ ଏହି ବ୍ୟବସ୍ଥା ହୋଇଛି । ଏଥିପାଇଁ ଛତାବର ପଞ୍ଚାୟତ ଅଲକର ମୌଜାରେ ୬ ଏକର ଜମି ଅଧିଗ୍ରହଣ ସରିଛି ।

ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛି ପରିବହନ ବିଭାଗ । ଏଥିପାଇଁ ଗାଡି ଗୁଡ଼ିକର ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏନେଇ ସମସ୍ତ ଆରଟିଓକୁ ଚିଠି ଲେଖି ଏହାର କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି । କୋଭିଡ୍ କଟକଣା ଯୋଗୁଁ ଚେକିଂରେ ବାଧା ଉପୁଜିଥିଲା । ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ ପାଇଁ ମାତ୍ରାଧିକ ଚେକିଂ କରିବାକୁ କୁହାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ମଧ୍ୟ ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ ଜରିଆରେ ଯାନବାହାନ ଜନିତ ବାୟୁ ପ୍ରଦୂଷଣ ରୋକିବା ଉପରେ କାର୍ଯ୍ୟ କରୁଛନ୍ତି ।

Leave a Reply