ଖରାଦିନେ ରାଜ୍ୟରେ ରହିବନି ପାଣି ସମସ୍ୟା

ଭୁବନେଶ୍ବର: ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାକୁ  ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପିଡି ଡିଆର୍‌ଡିଏ, ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଲୋକେ ଯେପରି ପାନୀୟ ଜଳ ସମସ୍ୟାର ସମ୍ମୁଖିନ ନହେବେ, ସେଥିପ୍ରତି ଦୃଷ୍ଟିଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ଅଶୋକ ମିନା, ପାନୀୟଜଳ ନିର୍ଦ୍ଦେଶକ ବି ପରମେଶ୍ବରନ୍, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ, ଆର୍‌.ଡବ୍ଲୁ.ଏସ୍‌.ଏସ୍ ଯନ୍ତ୍ରୀମୁଖ୍ୟ ଅମୁଲ୍ୟ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଭିଯୋଗ ପାଇବା ମାତ୍ରେ ଭ୍ରାମ୍ୟମାଣ ମରାମତି ବ୍ୟବସ୍ଥା କରିବା, ମରାମତି ଅବସ୍ଥାରେ ନଥିଲେ ନୂତନ ନଳକୂପ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ଦୂଷିତ ଜଳ ବ୍ୟବହାର ନକରିବାକୁ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସୋଲାର ନଳକୂପଗୁଡିକୁ ମଧ୍ୟ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ରକ୍ଷଣାବେକ୍ଷଣ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।