କଥା ବୁଲାଉଛି ପାକିସ୍ତାନ ! ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ଦେଲା ନୂଆ ସଫେଇ…

Abhinandan

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମୁକ୍ତ ନକଲେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ଥିଲା । ତେଣୁ ସେହି ଭୟରେ ଅଭିନନ୍ଦନଙ୍କୁ ୪୮ ଘଣ୍ଟା ମଧ୍ୟରେ ମୁକ୍ତ କରିଥିଲା ପାକିସ୍ତାନ । ନିକଟ ଅତୀତରେ ଏଭଳି ବୟାନ୍‌ ଦେଇଥିଲେ ଖୋଦ୍‌ ପାକିସ୍ତାନର ଜଣେ ସାଂସଦ ଅୟାଜ୍‌ ସାଦ୍ଦିକ୍‌ । ତେବେ ସାଂସଦଙ୍କ ଏଭଳି ବୟାନ ପରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏହା ଉପରେ ସଫେଇ ଦେବା ପାଇଁ ବାଟ ଖୋଜୁଛି ।

ପାକିସ୍ତାନର ଇମ୍ରାନ୍‌ ସରକାର ଦାବି କରିଛନ୍ତି ଯେ, ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଦେଶ ଉପରେ କୌଣସି ପ୍ରକାର ଚାପ ନଥିଲା । ହେଲେ ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ବିରୋଧୀ ଦଳ ସାଂସଦ ଆୟାଜ ସାଦ୍ଦିକ୍‌ କହିଥିଲେ ଯେ, ଦେଶ ଉପରେ ଭାରତର ଆକ୍ରମଣ ଭୟ ଥିବାରୁ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ।

Abhinandan

ଅୟାଜ ସାଦ୍ଦିକ୍‌ କହିବାନୁଯାୟୀ, ଅଭିନନ୍ଦନଙ୍କୁ ବନ୍ଦୀ କରାଯିବା ପରେ ପାକିସ୍ତାନର ବିଦେଶ ମନ୍ତ୍ରୀ କହିଥିଲେ ‘ଅଭିନନ୍ଦନଙ୍କୁ ମୁକ୍ତ କରାଯାଉ, କାରଣ ଭାରତ ରାତି ୯ଟା ସୁଦ୍ଧା ଆକ୍ରମଣ କରିବର ଯୋଜନା କରୁଛି । ଏହି ସମୟରେ ସମସ୍ତଙ୍କ ମଥାରେ ଭୟର ଝାଳ ଥିଲା ଆଉ ସମସ୍ତଙ୍କ ଗୋଡ଼ ଥରୁଥିଲା ।’ ହେଲେ ସାଦ୍ଦିକ୍‌‌ କହିଛନ୍ତି ଭାରତ ଆକ୍ରମଣ କରିବାର କୌଣସି ଯୋଜନା କରିନଥିଲା, ସେ କେବଳ ଚାହୁଁଥିଲା ପାକିସ୍ତାନ ମୁଣ୍ଡ ନୁଆଁଇବା ସହ ଅଭିନନ୍ଦନଙ୍କୁ ମୁକ୍ତ କରିଦେଉ ।

Shah Mahmood Qureshi

ସାଦ୍ଦିକଙ୍କ ବୟାନକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଜାହିଦ୍‌ ହଫିଜ୍‌ ଚୌଧରୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବାକୁ କୌଣସି ଚାପ ନଥିଲା । ଏହା ସହିତ ସେ କହିଛନ୍ତି ଯେ, ପାକିସ୍ତାନ ସରକାର ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାରେ ସମାଧାନ କରିବାକୁ ଚାହୁଁଥିଲେ ତେଣୁ ଅଭିନନ୍ଦନଙ୍କୁ ମୁକ୍ତ କରାଗଲା । ପାକିସ୍ତାନର ଏହି ପଦକ୍ଷେପକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସ୍ୱାଗତ ମଧ୍ୟ କରାଯାଇଛି ।

Leave a Reply