ଆଜିଠୁ ବଢିବ ତାପମାତ୍ରା, ୨୬ ତାରିଖରୁ ପୁଣି ପଡ଼ିବ ପଶ୍ଚିମା ଝଡ଼ ପ୍ରଭାବ

1 min read

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼ । ୨୬ରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ପରିଲକ୍ଷିତ ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବା ସମ୍ଭାବନା ରହିଛି । ୨୭ରୁ ବଢ଼ିବ ବର୍ଷାର ବିସ୍ତୃତି, ୨୭ରେ ୧୧ ଉପକୂଳ ଜିଲ୍ଲା ସମେତ ପ୍ରଭାବିତ ହେବ ପାର୍ଶ୍ଵବର୍ତ୍ତୀ ଜିଲ୍ଲା । ଜାରି ରହିବ ଝଡ଼ ପବନ ଏବଂ ବିଜୁଳି ଘଡ଼ଘଡ଼ି । ରାଜ୍ୟରେ ସାମାନ୍ୟ ବଦଳିଛି ପାଗ । ବିଭିନ୍ନ ସ୍ଥାନରେ ପାଗ ମେଘୁଆ ଥିବାବେଳେ ଆଜିଠୁ ତାପମାତ୍ରା ବୃଦ୍ଧି ପାଇବ ।

କିଛିଦିନର ବ୍ୟବଧାନ ପରେ ପୁଣି ଫେରିବ ଖରା । ସ୍ବାଭାବିକ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ । ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ମଧ୍ୟାହ୍ନରେ ତାତି ବଢ଼ିଲେ ବି ଅପରାହ୍ନରେ ଘଡ଼ିଘଡ଼ି ବିଜୁଳି ସହ ବର୍ଷା ହେବ। କାଳବୈଶାଖୀ ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅପରାହ୍ମରେ ବର୍ଷା ହେବ । ଆଜି କାଳବୈଶାଖୀ ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ସତର୍କ ସୂଚନା ଜାରି କରାଯାଇଛି ।