ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ ଲୁଟେରା

ମହାରାଷ୍ଟ୍ର : ମହାରାଷ୍ଟ୍ରର ବୁଲଡାଣା ଜିଲ୍ଲା ଅନ୍ତର୍ଗତ ଗତ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦୋକାନୀଙ୍କୁ ଡକାୟତମାନେ ଖଣ୍ଡାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ବୁଲଡାଣାର ଚିଖଲି ସିଟି ଏରିଆରେ ଥିବା ଏକ ଇଲେକ୍ଟ୍ରିକ ଦୋକାନ ଭିତରେ ଘଟିଥିଲା । ଯାହା ଦୋକାନ ବାହାର ଆଉ ଭିତରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ଦୋକାନ ମାଲିକ କମଳେଶ ପୋପଟ ଯେତେବେଳେ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ ଠିକ୍ ଏତିକିବେଳେ ଦୁଇ ଜଣ ଯୁବକ ମାସ୍କ ପିନ୍ଧିଥିବା ଅବସ୍ଥାରେ ଦୋକାନ ଭିତରକୁ ପ୍ରବେଶ କରିଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରିବା ବେଳେ ଅନ୍ୟ ଜଣେ ପାଖରେ ଥିବା ଖଣ୍ଡା ବାହାର କରିବାର ସିସିଟିଭିରେ ଦେଖାଯାଇଥିଲା ।

ଏହି ମାରଣାସ୍ତ୍ରରେ ଉଭୟେ ଦୋକାନୀକୁ ଆକ୍ରମଣ କରିବା ପରେ ଦୋକାନୀ ଜଣକ ତାଙ୍କ ସହ ଲଢ଼େଇ କରିଥିଲେ । ମାତ୍ର ଖଣ୍ଡା ଧରିଥିବା ଯୁବକ ଜଣକ ଦୋକାନୀଙ୍କୁ ଉକ୍ତ ଖଣ୍ଡାରେ ହାଣିଦେଇଥିଲା । ଏହା ପରେ ଉଭୟ ଯୁବକ ଦୋକାନରେ ଥିବା ଟଙ୍କା ଲୁଟିବା ସଙ୍ଗେ ସଙ୍ଗେ ଅନ୍ୟ ମହଙ୍ଗା ଜିନିଷ ବାଇକରେ ନେଇଯାଇଥିବା ଦେଖାଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୋକାନୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ମାମଲାର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ଉଭୟ ଯୁବକଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି ।

Leave a Reply