ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

1 min read

ଭୁବନେଶ୍ୱର : ଘନୀଭୁତ ହେଉଛି ଲଘୁଚାପ । କାଲିଠୁ ପ୍ରବଳ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର-ପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ । ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ମୁହାଁ ହେବ । ପ୍ରଭାବରେ କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବା ସହ ଟ୍ରାଫିକ ସମସ୍ୟା ଉପୁଜିପାରେ । ବର୍ଷାରେ କଚ୍ଚା ଘର, କଚ୍ଚା ରାସ୍ତା ପ୍ରଭାବିତ ହେବା ସହ କିଛି ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିଭଳି ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲା କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।Odisha and Chhattisgarh set to receive rains for the next 24 hours | Skymet  Weather Services

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି । ୧ ତାରିଖରେ ବର୍ଷାର ପରିମାଣ ଆହୁରି ବଢିବ । ଏଥିପାଇଁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଦକ୍ଷିଣ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।