ଆଜି ବସିବ ନବ ନିର୍ବାଚିତ ପରିଷଦର ପ୍ରଥମ ସ୍ୱତନ୍ତ୍ର ବୈଠକ

ଭୁବନେଶ୍ୱର: ଆଜି ବସିବ ନବ ନିର୍ବାଚିତ ପରିଷଦର ପ୍ରଥମ ସ୍ୱତନ୍ତ୍ର ବୈଠକ । ରାଜ୍ୟର ସମସ୍ତ ପୌର ସଂସ୍ଥାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମର ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ପ୍ରଥମ ତଥା ସ୍ୱତନ୍ତ୍ର ବୈଠକ । ପୂର୍ବରୁ ଯଦିଓ ସମସ୍ତ ନବ ନିର୍ବାଚିତ ଲୋକ ପ୍ରତିନିଧି ନିଜ ନିଜ ପ୍ରମାଣପତ୍ର ହାସଲ କରିସାରିଛନ୍ତି, ତଥାପି ଔପଚାରିକ ଭାବେ ଆଜି ସମସ୍ତେ ଶପଥ ଗ୍ରହଣ କରିବେ । ଏହା ସହିତ ଆସନ୍ତା ୮ ତାରିଖରେ ହେବାକୁ ଥିବା ଡେପୁଟି ମେୟର ବା ଉପାଧ୍ୟକ୍ଷ ପଦବୀ ପାଇଁ ଆରମ୍ଭ ହେବ ପ୍ରକ୍ରିୟା ।

ଭୁବନେଶ୍ୱର ମହାନଗର ନିଗମର ୬୭ଟି ଓ୍ୱାର୍ଡ ମଧ୍ୟରୁ ବିଜେଡି ହାତରେ ୪୮ଟି କର୍ପୋରେଟର, ବିଜେପି ହାତରେ ୧୦ଟି ଓ ଅବଶିଷ୍ଟ ୯ ଜଣ ସ୍ୱାଧୀନ କର୍ପୋରେଟର ଅଛନ୍ତି । ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ, ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବେ ସିଧାସଳଖ ନିର୍ବାଚିତ ହୋଇଛନ୍ତି । ଫଳରେ ଉପାଧ୍ୟକ୍ଷ ପଦବୀ ପୁରୁଷଙ୍କ ଭାଗରେ ରହିଛି । ସଂଖ୍ୟା ଖେଳରେ ବିଏମସିର ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତରେ ରହିବ । ତେବେ ଏଥିପାଇଁ କ’ଣ ମାପଦଣ୍ଡ ରହିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଉପାଧ୍ୟକ୍ଷ ପଦବୀ ପାଇଁ ଏକାଧିକ ଆଶାୟୀ ରହିଛନ୍ତି ।