ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ, ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି ଧଉଳି

1 min read

ଭୁବନେଶ୍ୱର: ୫୦ ବର୍ଷରେ ଧଉଳି ଶାନ୍ତିସ୍ତୂପ । ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଥିଲେ ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପିଛି ପରିବେଶ । ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଂସା ଓ ଯୁଦ୍ଧରୁ ଶାନ୍ତି ପ୍ରତିଷ୍ଠାର ମୂକସାକ୍ଷୀ ହେଉଛି ଓଡ଼ିଶା । ଧଉଳି ଶାନ୍ତିସ୍ତୂପ ହେଉଛି ମାନବତା ବିଜୟର ବଡ଼ ପ୍ରତୀକ । ଶାନ୍ତିର ବିକଳ୍ପ ନାହିଁ । ଆସନ୍ତୁ ଆମେ ହାତ ମିଳାଇବା । ଏକ ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା । ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯାେଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଧଉଳି ପାଇଁ ଶାନ୍ତିମନ୍ତ୍ରରେ କମ୍ପୁଛି । ଏହା ସମସ୍ତଙ୍କ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ । କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ଯାେଡ଼ିଛି ନୂଆ ଅଧ୍ୟାୟ । ବିଶ୍ବ ଶାନ୍ତି ଓ ସହାବସ୍ଥାନର ବାର୍ତ୍ତା ଦେଇଛି ଏ ପବିତ୍ର ସ୍ଥାନ । ଏ ଶାନ୍ତି ସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ପର୍ବ ।

ଧଉଳି ହେଉଛି ଆଧୁନିକ ସ୍ଥାପତ୍ୟ କଳାର ବଡ଼ କୀର୍ତ୍ତିରାଜି । ବିଶ୍ବ ଶାନ୍ତି ଓ ଭାରତ-ଜାପାନର ବନ୍ଧୁତାର ଏହା ହେଉଛି ନିଦର୍ଶନ । ଏହି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ସହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହାକୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ୯୫ କୋଟି ଟଙ୍କା ବ୍ୟୟରେ ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟାେରଜ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପୃଥବୀର ବିଭିନ୍ନ ଦେଶରୁ ଏକାଠି ହାେଇଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶାେକ ପଣ୍ଡା, ଅଶ୍ବିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଏହି ସ୍ଥାନ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଏହା ବିଶ୍ୱ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଛି । ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି ଧଉଳି ଶାନ୍ତିସ୍ତୂପ । ଏହାର ବିକାଶ ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି । ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେଇଛି ରାଜ୍ୟ ସରକାର । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି ।