ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ବାଜିବ ବିଗୁଲ

1 min read

ଭୁବନେଶ୍ୱର : ସପ୍ତଦଶ ବିଧାନସଭା ନିର୍ବାଚନ ଲାଗି ଆଜି ବାଜିବ ବିଗୁଲ। ୨୧ଟି ଲୋକସଭା ସହ ୧୪୭ ବିଧାନସଭାରେ ଭୋଟ୍ ଲାଗି ଘୋଷଣା ହେବ ତାରିଖ। ଗତ ୨୦୧୯ରେ ଚାରି ପର୍ଯ୍ୟାୟ ଅର୍ଥାତ ୧୧ ଏପ୍ରିଲରେ ୪ଟି, ୧୮ ଏପ୍ରିଲରେ ୫ଟି, ୨୩ ଏପ୍ରିଲରେ ୬ଟି ଓ ୨୯ ଏପ୍ରିଲରେ ୬ଟି ଲୋକସଭା ଆସନରେ ହୋଇଥିଲା ଭୋଟ। ସେହିପରି ୧୧ ଏପ୍ରିଲରେ ୨୮, ୧୮ ଏପ୍ରିଲରେ ୩୫, ୨୩ ଏପ୍ରିଲରେ ୪୨ ଓ ୨୯ ଏପ୍ରିଲରେ ୪୧ଟି ବିଧାନସଭା ଆସନ ଲାଗି ହୋଇଥିଲା ଭୋଟ। ଓଡ଼ିଶାରେ ୩ କୋଟି ୩୨ ଲକ୍ଷ ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୪ ଲକ୍ଷ। ରାଜ୍ୟରେ ୩ ହଜାର ୩୮୦ ତୃତୀୟ ଲିଙ୍ଗୀ, ୬ ଲକ୍ଷ ୮୦ ହଜାର ବରିଷ୍ଠ ନାଗରିକ ଥିବାବେଳେ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୯ହଜାର ୬୦। ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୭ଲକ୍ଷ ୫୦ ହଜାର ଥିବାବେଳେ ୧୮ରୁ ୧୯ ବର୍ଷ ଭୋଟରଙ୍କ ମଧ୍ଯରେ ମହିଳାଙ୍କ ସଂଖ୍ଯା ୩ ଲକ୍ଷ ୪୦ ହଜାର। ୪ ଲକ୍ଷ ୭୦ ହଜାର ଯୁବକ ପ୍ରଥମ ଥର ପାଇଁ ମତଦାନ କରିବେ।

ରାଜ୍ଯରେ ବୁଥ ସଂଖ୍ୟା ୩୭ ହଜାର ୮୦୯ ରହିବ। ୨୨ହଜାର ୬୮୫ ବୁଥରେ ୱେବକାଷ୍ଟିଂ କରାଯିବ। ୩୦୦ ବୁଥକୁ ପରିଚାଳନା କରିବେ ଭିନ୍ନକ୍ଷମ। ସେହିପରି ୭୦୦ ବୁଥକୁ ପରିଚାଳନା କରିବେ ଯୁବକ। ଆଦର୍ଶ ବୁଥ ସଂଖ୍ୟା ରହିବ ୭୦୦। ରାଜ୍ୟର ସବୁଠୁ ଦୁର୍ଗମ ଅଞ୍ଚଳରେ ବି ବୁଥ ପ୍ରତିଷ୍ଠା କରାଯିବ। ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ୧୬ଥର ବିଧାନସଭା ନିର୍ବାଚନ ହୋଇଛି। ୧୯୫୧-୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ଶେଷଥର ଲାଗି ୨୦୧୯ରେ ହୋଇଥିଲା ବିଧାନସଭା ନିର୍ବାଚନ।