ଅଗ୍ନିକାଣ୍ଡର ପୀଡିତଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ; ଘଟଣା ପରେ ଏସଡିଏମ୍ ନିଲମ୍ବିତ, ଲେଖପାଳ ଗିରଫ

ଲକ୍ଷ୍ନୌ: ୟୁପିରେ ବୁଲଡୋଜର ରାଜ୍ । ଜବରଦଖଲ ଉଚ୍ଛେଦ ନାଁରେ ପ୍ରଶାସନର ଗୁଣ୍ଡାଗର୍ଦ୍ଦି । ଉତ୍ତରପ୍ରଦେଶ କାନପୁରରେ ସାଂଘାତିକ ରୂପ ନେଇଛି ଜବରଦଖଲ ବିରୋଧୀ ଅଭିଯାନ । କାନପୁର ଦେହାତରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର । ଆଖି ଆଗରେ ସ୍ତ୍ରୀ, ଝିଅ ଜଳିଯାଇଥିବା ବେଳେ ଅସହାୟ ଦର୍ଶକ ପାଲଟିଥିଲେ ସ୍ବାମୀ ଗୋପାଳ ଦୀକ୍ଷିତ ଓ ପୁଅ । ଅବୈଧ ନିର୍ମାଣ ଉଚ୍ଛେଦକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମାମଲା କୋର୍ଟରେ ବିଚାରାଧୀନ ରହିଥିଲେ ବି ଗୋପାଳଙ୍କ ଝୁମ୍ପୁଡି ଘର ଉପରେ ବୁଲଡୋଜର ଚଳାଇଥିଲା ପ୍ରଶାସନ ।

ସେହି ସମୟରେ ହଠାତ ଘରେ ନିଆଁ ଲାଗି ଯିବାରୁ ଗୋପାଳଙ୍କ ସ୍ତ୍ରୀ ଓ ଝିଅ ଘର ଭିତରୁ ବାହାରି ପାରି ନଥିଲେ । ନିଆଁ ଭିତରୁ ସେମାନଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଥିଲା । ହେଲେ ତାଙ୍କୁ ବଞ୍ଚାଇ ପାରିନଥିଲେ ପରିବାର ଲୋକେ । ମାଆ, ଝିଅଙ୍କ ମୃତ୍ୟୁ ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଉତ୍ତେଜନା ବୃଦ୍ଧି ପାଇବାରୁ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳବାର ଅଧିକାରୀମାନେ ପରିବାରବର୍ଗଙ୍କୁ ମନାଇବା ପାଇଁ ଉଦ୍ୟମ କରିଥିଲେ, କିନ୍ତୁ ସେମାନେ ନିଜ ଦାବିରେ କାଏମ ରହିଥିଲେ ।

ମାମଲାରେ ସମ୍ପୃକ୍ତ ଏସଡିଏମଙ୍କୁ ନିଲମ୍ବିତ କରିଦିଆଯାଇଛି । ସେହିପରି ଲେଖପାଳ ଏବଂ ଜେସିବିର ଡ୍ରାଇଭରଙ୍କୁ ଗିରଫ ମଧ୍ୟ କରାଯାଇଛି । ଡେପୁଟି ସିଏମ୍ ବ୍ରଜେଶ ପାଠକ ଭିଡିଓ କନଫରେନ୍ସିଂ ଜରିଆରେ ପୀଡିତ ପରିବାର ସହ କଥା ହୋଇଛନ୍ତି ଏବଂ ଦାବି ପୂରଣ କରିବା ନେଇ ମଧ୍ୟ ଭରସା ଦେଇଛନ୍ତି । ଏହାପରେ ପରିବାର ଲୋକେ ଶବ ଉଠାଇବା ପାଇଁ ରାଜି ହୋଇଛନ୍ତି । ପରେନ୍ସିଂକ ଟିମ୍ ଶବ ଉଠାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସହ ସମ୍ବନ୍ଧିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଇଛି ଯେ ଜଣେ ମହିଳା ଚିତ୍କାର କରି ଦୌଡ଼ିକରି ଘର ଭିତରକୁ ଯାଉଛନ୍ତି ।

ଭିତର ପଟୁ କବାଟ ଦେଇ ଦେଉଛନ୍ତି । ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥାଏ । ପୋଲିସ ଉକ୍ତ କୁଡିଆର କବାଟ ଭାଙ୍ଗି ଦେଉଥିବାର ଦେଖାଯାଇଛି । ଏହି ସମୟରେ କୁଡିଆରେ ଘରେ ନିଆଁ ଲାଗିଯାଇଥାଏ । ମହିଳା ଏବଂ ତାଙ୍କ ଜିଅ ଭିତରେ ଥାଆନ୍ତି । ଏହାପରେ ଚିତ୍କାର ଶୁଣାଯାଏ କି ନିଆଁ ଲଗାଇ ଦେଲେ । ପୋଲିସ ଜଳୁଥିବା ଘରକୁ ଜେସିବିରେ ଭାଙ୍ଗି ଦେଉଥିବାର ମଧ୍ୟ ଭିଡିଓରେ ଦେଖା ଯାଇଛି । ପୋଲିସ ଫୋର୍ସ ଏବଂ ଅଧିକାରୀଙ୍କ ସାମ୍ନାରେ ଉଭୟ ମାଆ ଓ ଝିଅ ଜୀବନ୍ତ ଜଳି ମୃତ୍ୟୁବରଣ କରିଥିଲେ ।

ସେହିପରି ଉଭୟଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ କୃଷ୍ଣ ଗୋପାଳ ନିଆଁ ପ୍ରଭାବରେ ଆସି ଗୁରୁତର ଆହତ ହୋଇଛନ୍ତି । କୃଷ୍ଣ ଗୋପାଳ ନିଜ ବୟାନରେ କହିଛନ୍ତି, ଜେସିବି ଧରି ଏସଡିଏମ ଏବଂ ତହସିଲଦାର ଗତକାଲି ଅପରାହ୍ନରେ ଆସିଥିଲେ । ଏମାନଙ୍କ ସହ ଅଶୋକ ଦିକ୍ଷିତ, ଅନିଲ ଦିକ୍ଷିତ, ପୁତନିୟା ଏବଂ ଗାଁର ଅନ୍ୟ ଲୋକମାନେ ମଧ୍ୟ ଥିଲେ । ଏମାନେ ଅଧିକାରୀଙ୍କୁ କହିଥିଲେ ଯେ ଘରେ ନିଆଁ ଲଗାଇ ଦିଅ । ଦେଖିବା କେମିତି ଯାଗା ଛାଡି ନଯାଉଛନ୍ତି । ଏହାପରେ ଅଧିକାରୀମାନେ ଝୁମ୍ପୁଡି ଘରେ ନିଆଁ ଲଗାଇ ଦେଇଥିଲେ । ପୁଅ ଓ ମୁଁ କୌଣସି ପ୍ରକାରେ ବାହାରକୁ ତ ପଳାଇ ଆସିଲୁ ହେଲେ ଝିଅ ଓ ପତ୍ନୀ ଭିତରେ ରହିଯାଇଥିଲେ । ଜଳିଯାଇ ସେମାନଙ୍କ ମୃତ୍ୟୁ ହୋଇଯାଇଛି ।

ଆମକୁ ଜଳୁଥିବାର ଛାଡ଼ି ଦେଇ ଅଧିକାରୀ ମାନେ ପଳାଇଥିଲେ । କେହି ବି କୌଣସି ପ୍ରକାର ସହାୟତା କରିନଥିଲେ । ସେହିପରି ପୁଅ ଶିଭମ କହିଛନ୍ତି, “ଏସିଡିଏମ, ଏସଓ, ଲେଖପାଳ ମସସ୍ତେ ମିଶି ଆମ ଘରେ ନିଆଁ ଲଗାଇ ଦେଇଥିଲେ । ମୁଁ ଏବଂ ବାପା ଯଦି ଘରୁ ବାହାରି ନଥାନ୍ତୁ ଆମେ ମଧ୍ୟ ମୃତ୍ୟୁବରଣ କରିଥାନ୍ତୁ । ଝୁମ୍ପୁଡି ବାହାରେ ମନ୍ଦିର ଏବଂ ଟୁୱେଲକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଏଠାକୁ ଏସଡିଏମ ଆସିଥିଲେ, କିନ୍ତୁ କୌଣସି ଶୁଣାଣି ହୋଇନଥିଲା । ଗାଁର ମୁଷ୍ଟିମେୟ ଲୋକଙ୍କ କଥାରେ ପଡ଼ି ସେମାନେ ଆମକୁ ହଟାଇବା ପାଇଁ ଚାହୁଁଥିଲେ । ଏସଡିଏମ, ଲେଖପାଳ, ଜିଲ୍ଲାଧିକାରୀ ଷଡ଼ଯନ୍ତ୍ର କରି ଘରେ ନିଆଁ ଲଗାଇ ଦେଇଥିଲେ । ମାଆ ଓ ଭଉଣୀ ଭିତରେ ହିଁ ରହିଯାଇଥିଲେ ।

ଆମେ ଭିତରକୁ ଯିବାକୁ ଉଦ୍ୟମ କରିଥିଲୁ ହେଲେ ସେମାନଙ୍କୁ ବଞ୍ଚାଇ ପାରିନଥିଲୁ । ନିଆଁ ଲଗାଇବା ପରେ ଏମାନେ ସେଠାରୁ ଚାଲିଯାଇଥିଲେ । ଏସିଡିଏମ୍ କହୁଥିଲେ ଯେ କେହି ବି ଯେମିତି ନ ବଞ୍ଚନ୍ତି ।” ଅନ୍ୟପକ୍ଷରେ ନିଲମ୍ବିତ ଏସଡିଏମ୍ କହିଛନ୍ତି, ମାଆ ଓ ଝିଅ ନିଜକୁ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଆମର ଜଣେ ଅଧିକାରୀ ତାଙ୍କୁ ବଞ୍ଚାଇବାକୁ ଯାଇ ଆହତ ମଧ୍ୟ ହୋଇଛନ୍ତି । ଏପଟେ ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ଦାବି କରିଛନ୍ତି ଯେ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯାଉ ।

ପୀଡିତ ପରିବାରକୁ ସରକାରୀ ଚାକିରି ସହ ୫ କୋଟି ଟଙ୍କା ଦିଆଯାଉ ବୋଲି ଦାବି କରାଯାଇଛି । ଗ୍ରାମବାସୀମାନେ ଶବକୁ ରାସ୍ତାରେ ରଖି ଧାରଣା ଦେଇଥିଲେ । ଯେତେ ଯିଏ ବି ବୁଝାଇଲେ ମଧ୍ୟ ସେମାନେ ମାନିନଥିଲେ ଏବଂ ଦାବି ପୂରଣ ନହେବା ଯାଏ ଶବ ଉଠିବନି ବୋଲି ଚେତାବନୀ ଦେଇଥିଲେ । ଏହାପରେ ଉପ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ପରିବାର ସହ କଥା ହୋଇ ତାଙ୍କର ଏହି ଦାବି ପୂରଣ ହେବ ପୋଲି ଆଶ୍ୱାସନା ଦେଇଛନ୍ତି । ଏହାପରେ ଗ୍ରାମବାସୀ ଧାରଣା ହଟାଇଛନ୍ତି । ସେପଟେ ପ୍ରଶାସନିକ ଅଧିକାରୀଙ୍କ ନାଁରେ ହତ୍ୟା, ବଟି ଆଦାୟ, ଧମକ ଦେବା ଆଦି ଦଫାରେ ମାମଲା ରୁଜୁ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି । କଂଗ୍ରେସ ମଧ୍ୟ ଦେହାତରେ ପହଞ୍ଚି ଗୋପାଳ ଓ ତାଙ୍କ ପୁଅକୁ ଭେଟିଛି ।