ରେକର୍ଡ ଭାଙ୍ଗୁଛି ତାତି, ୪୫ ଡିଗ୍ରୀ ଛୁଇଁଲାଣି ପାରା

ଭୁବନେଶ୍ୱର:ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ୪୫ ଡିଗ୍ରୀ ଛୁଇଁଲା ଟିଟିଲାଗଡ଼ର ତାପମାତ୍ରା । ୬ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ରେକର୍ଡ ହୋଇଛି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବାସୀ । ଅଧିକାଂଶ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ତାଠାରୁ ତଳକୁ ରହୁଥିବା ବେଳେ ଆର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ୫୦ ଡିଗ୍ରୀ ତାପମାତ୍ରା ଅନୁଭବ ହେଉଛି ।

ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜାରି ରହିବ । ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ପାଇଁ ୮ଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୁରଭଞ୍ଜ ଏବଂ ବାଲେଶ୍ବରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୮ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ପ୍ରଭାବ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।