୪ ଦିନ ଯାଏ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା

ଭୁବନେଶ୍ବର: କଲବଲ କରୁଛି ତାତି । ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା  । ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ । ପାରା ସର୍ବାଧିକ ୪୪ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ଏପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା କମିଥିଲେ ବି ୬୦ ପ୍ରତିଶତ ଉପରେ ରହୁଛି ଆର୍ଦ୍ରତା । ତେଣୁ ତାପମାତ୍ରା ଓ ଆର୍ଦ୍ରତା ମିଶି ୫୦ ଡିଗ୍ରୀ ତାପମାତ୍ରାର ଅନୁଭବ ହେଉଛି । ଫଳରେ ତାତି ନଥିଲେ ବି ସନ୍ତୁଳି ହେଉଛନ୍ତି ଉପକୂଳବାସୀ ।

ସେପଟେ ବାଂଲାଦେଶ ଠାରୁ ବିହାର, ଝାଡଖଣ୍ଡ ଏବଂ ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଥିବା ଟ୍ରପଲାଇନ୍ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେଉଛି । ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୨୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବିଶେଷ କରି ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ପବନ ହେବ । ସେହିପରି ଆସନ୍ତାକାଲି କାଳବୈଶାଖୀ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।