୨୫ରେ ସିବିଆଇରେ ହାଜର ହେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ :  ଚାକିରି ଲାଗି ଜମି ମାମଲା । ଆସନ୍ତା ୨୫ ତାରିଖରେ ସିବିଆଇ ନିକଟରେ ହାଜର ହେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଦିଲ୍ଲୀ ହାଇକୋର୍ଟ ନିକଟରେ ଏହା କହିଛନ୍ତି ତେଜସ୍ବୀ । ୩ ଥର ସମନ ଏଡାଇବା ପରେ ଆସନ୍ତା ୨୫ରେ ହାଜର ହେବା ଲାଗି କହିଛନ୍ତି ତେଜସ୍ବୀ ।

ତେଜସ୍ବୀଙ୍କ ଏହି ବୟାନ ପରେ ଚଳିତ ମାସରେ ତେଜସ୍ବୀଙ୍କୁ ଗିରଫ କରାଯିବା ସମ୍ଭାବନା ନାହିଁ । ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଥିବାରୁ ସେ ହାଜର ହୋଇପାରିବେ ନାହିଁ ଗତଥର କହିଥିଲେ ତେଜସ୍ବୀ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ କରିଥିଲା ପଚରାଉଚରା ।

୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ କ୍ରମେ ଏହି ନୋଟିସ ହୋଇଛି । ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ହେମା ଯାଦବ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ଏହି ମାମଲାରେ ଚାକିରି ଲାଗି ଜମି ଦୁର୍ନୀତି ହୋଇଥିଲା । ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଘଟଣା ଘଟିଥିଲା । ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା ।