ମହିଳା ଟି-୨୦ ବିଶ୍ୱକପ୍: ଡିଏଲଏସ୍ ମେଥଡରେ ଆୟରଲ୍ୟାଣ୍ଡକୁ ହରାଇ ସେମିରେ ପ୍ରବେଶ କଲା ଭାରତ

1 min read

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରେ ସ୍ଥାନ ବନାଇଛି ଭାରତୀୟ ମହିଳା ଦଳ । ସୋମବାର ଭାରତ ବର୍ଷାରେ ବାଧାପ୍ରାପ୍ତ ମ୍ୟାଚରେ ଆୟରଲ୍ୟାଣ୍ଡକୁ ପରାସ୍ତ କରିଛି । ପୋର୍ଟ ଏଲିଜାବେଥର ସେଣ୍ଟ ଜର୍ଜ ପାର୍କରେ ହୋଇଥିବା ମୁକାବିଲାରେ ଭାରତୀୟ ଦଳ ଆୟରଲ୍ୟାଣ୍ଡଙ୍କୁ ଡକୱର୍ଥ ଆଣ୍ଡ ଲୁଇସ୍ ନିୟମ ଆଧାରରେ ପାଞ୍ଚ ରନରେ ପରାସ୍ତ କରିଛି । ଭାରତୀୟ ଦଳ ଆୟରଲ୍ୟାଣ୍ଡକୁ ଜିତିବା ପାଇଁ ୧୫୬ ରନର ଟାର୍ଗେଟ ଦେଇଥିଲା । କିନ୍ତୁ ୮.୨ ଓଭର ଖେଳ ପରେ ହିଁ ବର୍ଷା ହୋଇଯାଇଥିଲା ।

ଏହି ସମୟରେ ଆୟରଲ୍ୟାଣ୍ଡ ଦୁଇ ୱିକେଟ୍ ହରାଇ ୫୪ ରନ୍ କରିଥିଲା । ସେତେବେଳେ ଡିଏଲଏସ୍ ନିୟମ ଆଧାରରେ ସେ ପାଞ୍ଚ ରନ୍ ପଛରେ ରହିଥିଲା । ବର୍ଷା ଜାରି ରହିବା କାରଣରୁ ଖେଳ ହୋଇପାରିନଥିଲା । ସେଥିପାଇଁ ଭାରତକୁ ବିଜେତା ଘୋଷିତ କରାଯାଇଛି । ଆଜିର ମ୍ୟାଚରେ ସ୍ମୃତି ମନ୍ଧାନା ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ । ୫୬ ଟି ବଲରେ ୮୭ ରନର ଲଢ଼ୁଆ ପାରି ଖେଳିଥିଲେ ମନ୍ଧାନା । ଏବେ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବାର ସମ୍ଭାବନା ରହିଛି । ଆଜିର ମ୍ୟାଚରେ ଟସ୍ ଜିତି ଭାରତ ବ୍ୟାଟିଂ କରିଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ ।

ସ୍ମୃତି ମନ୍ଧାନା ଏବଂ ଶେଫାଳି ବର୍ମା ପ୍ରଥମ ୱିକେଟ୍ ପାଇଁ ୬୨ ରନ୍ କରିଥିଲେ । ୧୦ମ ଓଭର ଚାଲିଥିବା ବେଳେ ଶେଫାଳି ଆଉଟ୍ ହୋଇଯାଇଥିଲେ । ଶେଫାଳି ୨୯ ଟି ବଲରେ ୩ଟି ଚୌକା ବଳରେ ୨୭ ରନ୍ କରିଥିଲେ । ହରମନପ୍ରୀତ ଏବଂ ରିଚା ଘୋଷ ୧୬ତମ ଓଭରରେ ପାଭେଲିଅନ ଫେରିଯାଇଥିଲେ । ଉଭୟ ବ୍ୟାଟମ୍ସମ୍ୟାନ ଆୟରଲ୍ୟାଣ୍ଡର ଡେଲାନୀଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ହରମନପ୍ରୀତ ୨୦ଟି ବଲରେ ୧୩ ରନ୍ କରିଥିଲେ । ରିଚା ଖାତା ଖୋଲି ପାରିନଥିଲେ । ମନ୍ଧାନା (୮୭ରନ୍) ଏବଂ ଦିପ୍ତୀ ଶର୍ମା (୦ ରନ୍) ମଧ୍ୟ ଗୋଟିଏ ଓଭରରେ ଆଉଟ୍ ହୋଇଥିଲେ ।

ଡେଲାନି ନିଜ ଓଭରରେ ଏମାନଙ୍କ ୱିକେଟ୍ ନେଇଥିଲେ । ସେହିପରି ଜେମିମା ରୋଡ୍ରିଗ୍ସ ୨୦ତମ ଓଭରର ଶେଷ ବଲରେ ଷ୍ଟମ୍ପ ହୋଇଥିଲେ । ତାଙ୍କୁ ଅର୍ଲିନ କେଲି ଆଉଟ୍ କରିଥିଲେ । ଜେମିମା ୧୨ ବଲରେ ୧୯ ରନ୍ କରିଥିଲେ । ପୂଜା ବସ୍ତ୍ରକାର ୨ ରନ୍ କରି ଅପରାଜିତ ଥିଲେ । ଦଳ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୧୫୫ ରନ୍ ସଂଗ୍ରହ କରିଥିଲା । ଆୟରଲ୍ୟାଣ୍ଡ ପକ୍ଷରୁ ଲୌରା ଡେଲାନି ସର୍ବାଧିକ ତିନୋଟି ୱିକେଟ୍ ନେଇଥିବା ବେଳେ ଓର୍ଲା ପ୍ରେଣ୍ଡରଗାଷ୍ଟ ୨ଟି ୱିକେଟ୍ ଓ ଆର୍ଲିନି କେଲି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ ।

ବର୍ଷା ହେବା ବେଳକୁ ଆୟରଲ୍ୟାଣ୍ଡର ଦୁଇ ବ୍ୟାଟ୍ସମ୍ୟାନ୍ ଗାବି ଲୁଇସ୍ ଏବଂ ଲୌରା ଡେଲାନି କ୍ରୀଜରେ ଦଣ୍ଡାୟମାନ ଥିଲେ । ଲୁଇସ୍ ୨୫ ବଲରେ ୩୨ ରନ୍ କରିଥିବା ବେଳେ ଡେଲାନି ୧୮ ରନ୍ କରିଥିଲେ । ୮.୨ ଓଭରରେ ୨ ୱିକେଟ୍ ବିନିୟମରେ ୫୪ ରନ୍ କରିଥିଲା ଆୟରଲ୍ୟାଣ୍ଡ । ହେଲେ ଲଗାତାର ବର୍ଷା ଜାରି କାରଣରୁ ଡିଏଲଏସ ମେଥଡରେ ଭାରତକୁ ବିଜୟୀ କରାଯାଇଛି । ଚମତ୍କାର ବ୍ୟାଟିଂ ପାଇଁ ଭାରତର ସ୍ମୃତି ମନ୍ଧାନାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି ।

ଭାରତ ମୋଟ ୪ଟି ମ୍ୟାଚ୍ ମଧ୍ୟରୁ ୩ଟି ରେ ବିଜୟୀ ହୋଇ ଗୃପ-ବି ର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ଦଳ ପ୍ରଥମ ସ୍ଥାନରେ ରହି ସେମାଫାଇନାଲ୍ ମ୍ୟାଚ୍ ଖେଳିବା ପାଇଁ ପୂର୍ବରୁ ବିବେଚିତ ହୋଇସାରିଛି । ଗୃପ-ଏ’ର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ସହ ଭାରତର ସେମିଫାଇନାଲ୍ ମୁକାବିଲା ହେବା ନେଇ ଅଧିକ ସମ୍ଭାବନା ରହିଛି ।