ଆଜି ଅପରାହ୍ନରେ ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା ‘ତୌକତେ’, ୧୬୦ରୁ ୧୭୦ କିଲୋମିଟର ବେଗରେ ବହିବ ପବନ

1 min read

ନୂଆଦିଲ୍ଲୀ: ବାତ୍ୟା ‘ତୌକତେ’ ପ୍ରଭାବରେ ଗୁଜରାଟ, କେରଳ, କର୍ଣ୍ଣାଟକରେ ଆରମ୍ଭ ହୋଇଛି ବର୍ଷା ସାଙ୍ଗକୁ ପବନ । ଆଜି ଦିନ ୧୧ଟା ୩୦ ସୁଦ୍ଧା ଅତି-ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେବା ସହ ୧୮ତାରିଖ ସକାଳ ବେଳକୁ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଅଛି । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ବିଶେଷକରି ତଳି ଅଞ୍ଚଳରେ ଯେଭଳି କୌଣସି କ୍ଷୟକ୍ଷତି ନ ହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି ।

ଏନଡିଆରଏଫ ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଛନ୍ତି । ସେପଟେ ମାଙ୍ଗାଲୁରୁ ନିକଟରେ ବୋଟ ଓଲଟି ଜଣେ ମୃତ ହୋଇଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି । ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏଥି ପାଇଁ ମାଙ୍ଗାଲୁରୁ ପୋରବନ୍ଦର ଓ ବେରାୱଲ, କଚ୍ଛ ଓ ଦ୍ୱାରକାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦ୍ବାରା ୫ଟି ରାଜ୍ୟ ଗୁଜରାଟ, କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଅଧିକ ବର୍ଷା ହେବ ।

୨୦ ତାରିଖ ବେଳକୁ ପାଗ ସ୍ବାଭାବିକ ହେବ । ଓଡ଼ିଶା ଉପରେ ବାତ୍ୟା ତୌକତେର କୌଣସି ପ୍ରଭାବ ପଡିବ ନାହିଁ । କେବଳ ସାମାନ୍ୟ ପଶ୍ଚିମା ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

Leave a Reply