ମିଟର ବଦଳାଇବା ନାଁର ଲୁଟୁଛି ଟାଟା ପାଓ୍ୱାର, ରୋକି ପାରୁନି ବିଦ୍ୟୁତ ଚୋରି

1 min read

ଭୁବନେଶ୍ୱର: ମିଟର ବଦଳାଇବା ନାଁରେ ଗ୍ରାହକଙ୍କୁ ଲୁଟୁଛି ଟାଟା ପାଓ୍ୱାର । ଦାୟିତ୍ୱ ନେବା ପରଠୁ ବିଦ୍ୟୁତ ସରବରାହ ଜନିତ କ୍ଷତି, ବିଦ୍ୟୁତ ଚୋରି ରୋକିପାରିନି କମ୍ପାନୀ । ଟାଟା ପାଓ୍ୱାରର ଏଭଳି ଶୋଷଣ ବନ୍ଦ କରିବା ପାଇଁ ଓଇଆରସି ପାଖରେ ଦାବି କରିଛି ସମାଜବାଦୀ ପାର୍ଟି । ବିଦ୍ୟୁତ ଉତ୍ପାଦନ ଓ ଆବଣ୍ଟନ କମ୍ପାନୀମାନଙ୍କର ବିଜୁଳି ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଦୃଢ ବିରୋଧ କରିଛି ଉପଭୋକ୍ତା ମହାସଂଘ । ସେପଟେ ଜନଶୁଣାଣି ପରେ ବିଜୁଳି ଦର ବଢିବ କି ନାହିଁ ତାହା ସ୍ଥିର ହେବ ବୋଲି ଓଇଆରସି ସଚିବ କହିଛନ୍ତି ।

ଟାଟା ପାଓ୍ୱାର ବିରୋଧରେ ହଲ୍ଲାବୋଲ । ରାସ୍ତାକୁ ଓହ୍ଲାଇଲେ ରାଜନୈତିକ ଦଳ । ମିଟର ଜୁଲମ ବିରୋଧରେ ତେଜିଲା ସ୍ୱର । ବିଜୁଳି ଶୁଳ୍କ ପ୍ରସ୍ତାବକୁ ଉପଭୋକ୍ତା ସଂଘର ବିରୋଧ । ଇଏ ହେଉଛନ୍ତି ବାଙ୍କୀ ଡମପଡ଼ା ବିଲିପଡ଼ା ଗାଁର ବାସୁ ମନ୍ତ୍ରୀ । ଆଗରୁ ମାସିକ ୧୦୦ରୁ ୧୫୦ଟଙ୍କା ଭିତରେ ଆସୁଥିଲା ବିଜୁଳି ବିଲ୍‌ । ହେଲେ ଗତ ଜୁଲାଇ ମାସରେ ୧୨ ହଜାର ଟଙ୍କା ବିଲ୍‌ ଆସିଲା । ଏହାପରେ କମ୍ପାନୀ କର୍ମଚାରୀ ପୁରୁଣା ମିଟର ବଦଳାଇ ନୂଆ ମିଟର ଲଗାଇଲେ । ତେବେ ଫେବ୍ରୁଆରୀରେ ପୁରୁଣା ବକେୟା ସହ ମୋଟ ୨୯ହଜାର ୧୫ ଟଙ୍କା ବିଲ୍‌କୁ ୧୫ ଦିନ ଭିତରେ ପଇଠ କରିବାକୁ ମିଳିଛି ଡେଡଲାଇନ । ନହେଲେ ବିଜୁଳି କାଟି ଦିଆଯିବ ବୋଲି ଧମକ ମିଳିଛି । କେବଳ ବାସୁ ମନ୍ତ୍ରୀ ନୁହନ୍ତି, ଟାଟା ପାଓ୍ୱାର ବିରୋଧରେ ଅଭିଯୋଗର ତାଲିକା ବେଶ୍‌ ଲମ୍ବା ।

ଗ୍ରାହକଙ୍କ ଉପରେ ଟାଟା ପାଓ୍ୱାରର ଜୁଲମ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ସମାଜବାଦୀ ପାର୍ଟି । ତୁରନ୍ତ ଟାଟା ପାଓ୍ୱାର ମିଟର ନାଁରେ କରୁଥିବା ଜୁଲମ ବନ୍ଦ କରିବା ପାଇଁ ଓଇଆରସି ନିକଟରେ ଦଳ ଦାବି କରିଛି । ଏହାସହ ବିଜୁଳି ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ କରିଛି । ସେପଟେ ଓଇଆରସିର ଜନଶୁଣାଣିରେ ବିଭିନ୍ନ ବିଦ୍ୟୁତ ଉତ୍ପାଦନ ଓ ଆବଣ୍ଟନ କମ୍ପାନୀମାନଙ୍କର ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିବ ଉପଭୋକ୍ତା ମହାସଂଘ । ହେଲେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଶୁଳ୍କ ବଢିବ କି ନାହିଁ ତାହା ଜନଶୁଣାଣି ପରେ ସ୍ପଷ୍ଟ ହେବ ବୋଲି ଓଇଆରସି ସଚିବ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

୨୦୨୦ରୁ ଶକ୍ତି ବିଭାଗରେ ସଂସ୍କାର ଆଣିବା ପାଇଁ ଘରୋଇକରଣ କରି ଟାଟା ପାଓ୍ୱାରକୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ଟାଟା ପାଓ୍ୱାର ନିଜ ମୂଳନୀତିରୁ ହଟି ସଂସ୍କାର ବଦଳରେ ଗ୍ରାହକଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । କେତେବେଳେ ବକେୟା ଅର୍ଥ ଜୁଲମ ତ କେତେବେଳେ ମିଟର ବଦଳାଇବା ନାଁରେ ଶୋଷଣ କରୁଛି କମ୍ପାନୀ । ଆସନ୍ତା ୨୧ ତାରିଖରେ ଟାଟା ପାଓ୍ୱାରର ଓଇଆରସିରେ ଜନ ଶୁଣାଣି ରହିଛି ।

ଅନ୍ୟ ପକ୍ଷରେ ବିଦ୍ୟୁତ ଦର ନ ବଢ଼ାଇବାକୁ ଓଇଆରସିକୁ ଅନୁରୋଧ କରିଛନ୍ତି ରାଜ୍ୟ ଶକ୍ତି ବିଭାଗ । ଗ୍ରାହକଙ୍କ ଉପରେ ଶୁଳ୍କ ବୋଝ ନବଢାଇବାକୁ ଅନୁରୋଧ । ଏଟିସି କ୍ଷତି ହ୍ରାସ କରିବାକୁ ବିତରକ କମ୍ପାନୀଙ୍କୁ ନିବେଦନ କରାଯାଇଛି ।

 

 

Leave a Reply