ମିଳୁନି କନିଆଁ, ସହର ସାରା ପୋଷ୍ଟର ମାରିଲେ ଯୁବକ

ଚେନ୍ନାଇ: ଆଜିର ସମୟରେ ବିବାହ ପାଇଁ ସଂଘର୍ଷ ଜାରି ରହିଛି । ଉପଯୁକ୍ତ ଜୀବନସାଥୀ ଖୋଜିବା ପାଇଁ କିଏ ବିବାହ ବ୍ୟୁରୋର ସହାୟତା ନେଉଛି ତ ପୁଣି କିଏ ଅନଲାଇନ ୱେବସାଇଟରେ ଭାଗ୍ୟ ପରୀକ୍ଷା କରୁଛି । କିନ୍ତୁ ତାମିଲନାଡୁର ଜଣେ ଯୁବକ ବିବାହ ପାଇଁ କିଛି ନୂଆ ଉପାୟ ଆପଣାଇଛନ୍ତି । ଦୀର୍ଘ ୫ ବର୍ଷରୁ ନିଜ ପାଇଁ କନିଆଁ ଖୋଜିଖୋଜି ସେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ଯାହା ଫଳରେ ସହର ସାରା ସେ ନିଜ ପୋଷ୍ଟର ମାରିଛନ୍ତି ।

ମଦୁରାଇର ଭିଲୁପୁରମରେ ରହୁଥିବା ୨୭ ବର୍ଷୀୟ ଜଗନ ପେସାରେ ଜଣେ ଇଞ୍ଜିନିଅର ଅଟନ୍ତି । କିଛି ବର୍ଷ ଧରି ସେ ଲଗାତାର ନିଜ ପାଇଁ ପାର୍ଟନର ଖୋଜୁଛନ୍ତି । କିନ୍ତୁ ଏଯାଏଁ ତାଙ୍କୁ ମିଳିନି ପାର୍ଟନର । କେହି ତାଙ୍କୁ ସେପରି ପସନ୍ଦ ଆସିନାହାନ୍ତି ଯାହାକୁ ସେ ବିବାହ କରିପାରିବେ  । ଏଥିପାଇଁ ସେ ସହର ସାରା ବଡବଡ ପୋଷ୍ଟର ମାରିଛନ୍ତି  । ଯେଉଁଥିରେ ଲେଖାଯାଇଛି ଯେ ‘ମିସ ରାଇଟ’ ଦରକାର ।

ପୋଷ୍ଟରରେ ଜଗନ ଏକ ଫଟୋ ଲଗାଇ ନିଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଜଣେ ଡିଜାଇନର ଓ ବିଏସସି ଆଇଟି ପଢିଛନ୍ତି  । ଏକ ପ୍ରାଇଭେଟ କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି । ତାଙ୍କ ବେତନ ୪୦ ହଜାର ଟଙ୍କା ହୋଇଥିବାବେଳେ ଜଗନଙ୍କ ନାମରେ ଏକ ଜମି ରହିଥିବା ପୋଷ୍ଟରରେ ଲେଖାଯାଇଛି ।

ଜଗନ କହିଛନ୍ତି ଗତ ୫ ବର୍ଷରୁ କନିଆଁ ଖୋଜୁଛି । ପୋଷ୍ଟର ଲଗାଇବା ପରେ ମୋର ବହୁତ ଜଣ ମଜାକ ଉଡାଇଛନ୍ତି  । ହେଲେ ଏସବୁ ମୋ ପକ୍ଷେ ପ୍ରଭାବହୀନ ।