ତାମିଲନାଡ଼ୁରେ ବଡ଼ଧରଣର ଦୁର୍ଘଟଣା, ଖାଇକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍, ୮ ମୃତ

ଚେନ୍ନାଇ: ତାମିଲନାଡ଼ୁରେ ବଡ଼ଧରଣର ସଡ଼କ ଦୁର୍ଘଟଣା । ଖାଇକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍ । ତାମିଲନାଡ଼ୁର କୁନ୍ନର ସ୍ଥିତ ମାରାପଲମ ପାଖରେ ଖାଇକୁ ବସ୍ ଖସିପଡ଼ିବା ଫଳରେ ୩୫ ଜଣ ଆହତ ହୋଇଛନ୍ତି । ସେହିପରି ୮ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ବସ୍ ଉଟିରୁ ମେଟ୍ଟୁପାଲୟମ ଅଭିମୁକେ ଯାତ୍ରା କରୁଥିଲା । ବସରେ ୫୫ ଯାତ୍ରୀ ଥିଲେ । ଆହତଙ୍କୁ ଚିକିତ୍ସା ପାଇଁ କୁନ୍ନୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ । ଆହତଙ୍କୁ ବଞ୍ଚାଇବା ସହ ହସ୍ପିଟାଲ ପଠାଇଥିଲେ । ଘଟଣାକୁ ନେଇ କୋଏମ୍ବଟୁର ଜୋନର ଡିଆଇଜି ସରଭଣ ସୁନ୍ଦର କହିଛନ୍ତି, ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ସେହିଭଳି କିଛି ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବେ ଘଟଣାକୁ ନେଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ଡ୍ରାଇଭର ବସ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ, ଯେଉଁକାରଣରୁ ବସ୍ କୁନ୍ନୁର ପାଖ ମରାପଲମରେ ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ତେବେ ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବାବେଳେ ୫ଜଣ ପୁରୁଷ ସାମିଲ ଅଛନ୍ତି । ଏହାରି ମଧ୍ୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୮ ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ।