ତହଉର ରାଣାର ପ୍ରତ୍ୟର୍ପଣ ପ୍ରସଙ୍ଗ : ଭାରତକୁ ପ୍ରତ୍ୟର୍ପଣ ଲାଗି ଅନୁମତି ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
1 min read
ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇ ଆତଙ୍କବାଦୀ ହମଲାର ଅଭିଯୁକ୍ତ ତହଉର ରାଣାକୁ ପ୍ରତ୍ୟର୍ପଣ ପ୍ରସଙ୍ଗ । ଭାରତ ହାତରେ ପ୍ରତ୍ୟର୍ପଣ ଲାଗି ଗ୍ରୀନ ସିଗନାଲ ଦେଲେ ଆମେରିକା ରାଷ୍ଟ୍ରପତିଡୋନାଲଡ ଟ୍ରମ୍ପ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଳିତ ବୈଠକ ପରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ। ରାଣାକୁ ଭାରତ ଅଣାଗଲେ ତାକୁ ତିହାର ଜେଲରେ ହିଁ ରଖାଯିବ ଏବଂ ଜେଲରେ ହାଇସିକ୍ୟୁରିଟି ବ୍ୟବସ୍ଥା ସମ୍ପନ୍ନ ଓ୍ବାର୍ଡରେ ରଖିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକାର ଲସ୍ ଆଞ୍ଜେଲସ ଜେଲରେ ବନ୍ଦୀ ଥିବା ରାଣାର ସମସ୍ତ ଆବେଦନ ବିଭିନ୍ନ ନିମ୍ନ କୋର୍ଟରେ ଖାରଜ ହୋଇଥିଲା ।
ଶେଷରେ ଗତ ଜାନୁଆରୀ ୨୧ରେ ଆମେରିକା ସୁପ୍ରିମକୋର୍ଟ ବି ପ୍ରତ୍ୟର୍ପଣ ରଦ୍ଦ ସଂକ୍ରାନ୍ତ ଆବେଦନ ଖାରଜ କରିଦେଇଥିଲେ । ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ହମଲାରେ ପ୍ରାଣ ହରାଇଥଲେ ୧୬୬ ନାଗରିକ । ୨୦୦୮ ଆତଙ୍କୀ ହମଲା ପରେ ୨୦୦୯ରେ ତାକୁ ଚିକୋଗାରେ ଗିରଫ କରିଥିଲା ଏଫବିଆଇ। ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲମାନ ହେଡଲି ଓରଫ ଦାଉଦ ଗିଲାନି ସହ ତହଉରର ସମ୍ପର୍କ ଥିଲା। ମୁମ୍ବାଇ ହମଲା ମାମଲାରେ ହେଡଲି ବର୍ତ୍ତମାନ ଆମେରିକାରେ ୩୫ ବର୍ଷିଆ ଜେଲଦଣ୍ଡ ଭୋଗୁଛି।