T-20 ବିଶ୍ବକପ ଫାଇନାଲରେ ଭାରତ

1 min read

ନୂଆଦିଲ୍ଲୀ : ୨୦୨୨ ପରାଜୟର ପ୍ରତିଶୋଧ ନେଲା ଭାରତ । ଇଂଲଣ୍ଡକୁ ହରାଇ ଟି-ଟ୍ବେଣ୍ଟି ଫାଇନାଲରେ ଟିମ୍ ଇଣ୍ଡିଆ । ଅକ୍ଷର ଓ କୁଲଦୀପଙ୍କ ଯାଦୁକରୀ ସ୍ପିନରେ ଧୂଳି ଚାଟିଲା ଇଂଲଣ୍ଡ । ୧୭୨ ରନର ବିଜୟ ଲକ୍ଷ୍ଯକୁ ପିଛା କରି ୧୦୩ ରନରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ । ଫଳରେ ୬୮ ରନର ବିରାଟ ବ୍ଯବଧାନରେ ଇଂଲଣ୍ଡକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ରୋହିତ ବାହିନୀ ।

୨ ବର୍ଷ ତଳେ ଆଡିଲେଡ୍ ଓଭାଲରେ ଭାରତକୁ ସେମିଫାଇନାଲରେ ୧୦ ୱିକେଟରେ ହରାଇ ଫାଇନାଲକୁ ଯାଇଥିବା ଇଂଲଣ୍ଡର ଫାଇନାଲ ସ୍ବପ୍ନକୁ ଏଥର ଚୁରମାର କରିଦେଇଛି ଭାରତ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ଗତଥରର ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ଯାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା । କ୍ଯାପଟେନ ରୋହିତ ଶର୍ମା ୩୯ ବଲରେ ୫୭ ରନ୍ କରିଥିବାବେଳେ ଏବଂ ସୂର୍ଯ୍ୟକୁମାର ୟାଦବ ୩୬ ବଲରେ ୪୭, ରନ ହାସଲ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୩, ରବୀନ୍ଦ୍ର ଜାଡେଜା ୯ ବଲରେ ୧୭ ଓ ଅକ୍ଷର ପଟେଲ ୬ ବଲରେ ୧୦ ରନ କରି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ । ୧୭୨ ରନର ବିଜୟ ଲକ୍ଷ୍ଯକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା । ଭାରତୀୟ ସ୍ପିନର ଓ ଫିଲଡରଙ୍କ ରଣନୀତି ଆଗରେ ଇଂଲଣ୍ଡ ଦଳ ଫେଲ୍ ହୋଇଥିଲା । ହ୍ଯାରୀ ବୃକ୍ ସର୍ବାଧିକ ୨୫ ରନ କରିଥିବାବେଳେ ଅଧିନାୟକ ବଟଲର ୨୩ ରନ କରିବାକୁ ସକ୍ଷମ ହୋଇଥିଲେ ।

ଭାରତର ମୁକାବିଲା କରିନପାରି ଶେଷରେ ୧୬ ଓଭର ୪ଟି ବଲରେ ଇଂଲଣ୍ଡ ୧୦୩ ରନ କରି ଅଲଆଉଟ ହୋଇଯାଇଥିଲା । ଅକ୍ଷର ପଟେଲ ଓ କୁଲଦୀପ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ବୁମରା ୨ଟି ୱିକେଟ ନେଇଥିଲେ । ଅକ୍ଷର ପଟେଲ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ବିଶାଳ ବିଜୟ ସହ ଭାରତ ୧୦ବର୍ଷ ପରେ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି। ୨୦୧୪ରେ ଭାରତ ଶେଷଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲ୍ ଖେଳିଥିଲା । ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପର ଗ୍ରାଣ୍ଡ ଫିନାଲେ । ଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଭାରତର ମୁକାବିଲା ହେବ ।