ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବାକୁ ପକାଇଥିଲେ ଚାପ !
ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କ ବିରୋଧରେ ବଢୁଛି ଅଭିଯୋଗର ଲମ୍ବା ତାଲିକା । ଚୌଦ୍ୱାର ପରେ ବାଲେଶ୍ଵରରୁ ଆସିଲା ସାଙ୍ଘାତିକ ଅଭିଯୋଗ । ହେଡ ଅଫିସରେ ବସି ଅପରାଧିକ ଷଡଯନ୍ତ୍ର କରୁଥିଲେ କି ତତ୍କାଳୀନ ଜେଲ ଡିଜି ? ଅନ୍ତେବାସୀଙ୍କ ପକେଟରେ ବ୍ରାଉନସୁଗର ପୂରାଇବାକୁ କାହିଁକି ଦେଉଥିଲେ ନିର୍ଦ୍ଦେଶ ? ବାଲେଶ୍ଵରର ତତ୍କାଳୀନ ଜେଲର ଆଣିଲେ ସଙ୍ଗୀନ ଅଭିଯୋଗ ।
ଜେଲ ବିଭାଗରେ ଚାଲିଥିବା କେଳେଙ୍କାରୀ କଥା ପଦାରେ ପଡୁଛି । ବିଭାଗ ମୁଖିଆ ତଥା ତତ୍କାଳୀନ ଜେଲ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ପୁଣି ଆସିଛି ସଙ୍ଗୀନ ଅଭିଯୋଗ । ଏଥର ଅଭିଯୋଗ ଆଣିଛନ୍ତି ନିଲମ୍ବିତ ବାଲେଶ୍ୱର ଜେଲର ପ୍ରଦୀପ୍ତ କୁମାର ମହାଳିକ । ଜେଲରେ ଜଣେ କଏଦୀଙ୍କୁ ବ୍ରାଉନସୁଗର ମାମଲାରେ ଫସାଇବାକୁ ଜେଲରଙ୍କ ଉପରେ ଚାପ ପକାଉଥିଲେ ତତ୍କାଳୀନ ଜେଲ ଡିଜି ସୁଶାନ୍ତ ନାଥ । ଏଥିରେ ରାଜି ନହେବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ଜେଲର ପ୍ରଦୀପ୍ତ । ଏନେଇ ନଭେମ୍ବର ୨ ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସେ ଚିଠି ଲେଖିଛନ୍ତି । ଡିଜି, ପ୍ରିଜନ୍ସଙ୍କ ଚାପ ଓ ପ୍ରଲୋଭନ ସତ୍ତ୍ୱେ ବେଆଇନ କାମ କରିବାକୁ ମନା କରିଥିବା ସେ ଚିଠିରେ ଦର୍ଶାଇଛନ୍ତି । ଅକ୍ଟୋବର ୧୩ରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଛନ୍ତି ।
ତତ୍କାଳୀନ ଜେଲ ଡିଜିଙ୍କ ସହ ଭୁବନେଶ୍ୱର ଜେଲ ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କ ବିରୋଧରେ ମଧ୍ୟ ପ୍ରଦୀପ୍ତ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଅପରାଧିକ ଷଡଯନ୍ତ୍ରରେ ସର୍ବେଶ୍ୱର, ସୁଶାନ୍ତଙ୍କୁ ସହଯୋଗ କରୁଥିବା ସେ ଦର୍ଶାଇଛନ୍ତି । ସେପଟେ ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାସ ସୁଶାନ୍ତଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର , ଅପରାଧିକ ଧମକ ନେଇ ମାମଲା ରୁଜୁ ପରେ ବଢିଛି ଅଡ଼ୁଆ । ଚୌଦ୍ୱାର ଥାନାରେ କେସ ନମ୍ବର ୭୧୩/୨୦୨୬ରେ ମାମଲା ରୁଜୁ ହେବା ପରେ ହାଇକୋର୍ଟରେ ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି ସୁଶାନ୍ତ । ସହଯୋଗୀ କୂଲଦୀପ ରଥ ଆଗୁଆ ଜାମିନ ଆବେଦନ ମଧ୍ୟ କରିଛନ୍ତି । ଗତକାଲି ଏହି ମାମଲାରେ ପୀଡିତା ସନ୍ତୋସିନୀଙ୍କ ବୟାନ ରେକର୍ଡ କରିଛି କମିଶନରେଟ ପୋଲିସ ।
ଏକଦା ଓଡ଼ିଶାର ଜେଲ ବିଭାଗ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ଥିଲା । କାଳ କୋଠରୀକୁ ସୁଧାର ଗୃହରେ ପରିଣତ କରିବା ପାଇଁ ଚାଲିଥିଲା ଭରପୁର ପ୍ରୟାସ । ଏବେ କିନ୍ତୁ ଅବସ୍ଥା ନକହିବା ଭଲ ।

