ସୁପ୍ରିମକୋର୍ଟଙ୍କ ରାୟ: ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶ ଉପରେ ଲାଗିଲାନି ରୋକ୍

ନୂଆଦିଲ୍ଲୀ: ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ । ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ନୋଟିସକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରି ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି । ଯେଉଁ ଦୁଇ ବିଧାୟକ ଜେଲରେ ଅଛନ୍ତି ସେମାନେ ମଧ୍ୟ ଭୋଟ ଦେଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଉଦ୍ଧବଙ୍କ ଆବେଦନ ଉପରେ ପ୍ରାୟ ସାଢେ ତିନି ଘଣ୍ଟା ଧରି ଶୁଣାଣି ହୋଇଥିଲା । ଦୁଇ ପକ୍ଷ ଦଲିଲ ଉପସ୍ଥାପନା କରିଥିଲେ । ରାୟ ସୁରକ୍ଷିତ ରଖିବା ପରେ ଏବେ ରାୟ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ଆଦେଶ ଅନୁସାରେ ଆସନ୍ତାକାଲି ଫ୍ଲୋର ଟେଷ୍ଟ ହେବ । ସଂଖ୍ୟା କମ୍ ଥିବା ମହାବିକାଶ ଅଘାଡି ସରକାର କାଲି ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାର ଆଶଙ୍କା  । ଉଦ୍ଧବ ସରକାର ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି  । ବିଦ୍ରୋହୀ ଏକନାଥଙ୍କ ଗୋଷ୍ଠୀରେ ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ରହିଛି  । ବିଜେପି ସହ ବିଦ୍ରୋହୀ ବିଧାୟକ ମିଶି ସରକାର ଗଢିପାରନ୍ତି  । ସୂଚନାଥାଉକି ୯ ଦିନ ହେବ ମୁମ୍ବାଇ ଛାଡିଥିବା ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଫ୍ଲୋର ଟେଷ୍ଟ ପାଇଁ ଆସନ୍ତାକାଲି ମୁମ୍ବାଇ ଆସୁଛନ୍ତି  । କୋର୍ଟଙ୍କ ଏହି ରାୟ ପରେ ବିଜେପି ଶିବିରରେ ଖୁସିର ଲହରି ଖେଳିଯାଇଛି  ।

ଆଜି ସନ୍ଧ୍ୟା ୫ଟାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା  । ଉଦ୍ଧବ ଠାକରେଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଂଘବୀ ପକ୍ଷ ରଖୁଥିଲା  । ସେହିପରି ଏକନାଥ ସିନ୍ଦେଙ୍କ ପକ୍ଷରୁ ନୀରଜ କିଷାନ କୌଲ ପକ୍ଷ ରଖିଥିଲେ ଏବଂ ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଉପସ୍ଥିତ ରହିଥିଲେ । ଯେପର୍ଯ୍ୟନ୍ତ ୧୬ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନହୋଇଛି ସେପର୍ଯ୍ୟନ୍ତ ଫ୍ଲୋର ଟେଷ୍ଟ ସ୍ଥଗିତ କରିବା ପାଇଁ ନିବେଦନ କରିଥିଲେ ସିଂଘବୀ  । ଏହା ବ୍ୟତୀତ ସେ ଦଲୀଲରେ କହିଥିଲେ ରାଜ୍ୟପାଳ ବିରୋଧୀ ନେତା ଦେବେନ୍ଦ୍ର ଫଡନାବୀସଙ୍କ ପରାମର୍ଶରେ କାମ କରୁଥିବା କହିଥିଲେ । ଦୁଇଦିନ ହେବ କରୋନାରୁ ସୁସ୍ଥ ହୋଇଛନ୍ତି ରାଜ୍ୟପାଳ ଏବଂ ଗତକାଲି ଫଡନାବୀସ ତାଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ କହିଥିଲେ  । ତାଙ୍କ କଥା ଅନୁସାରେ ରାଜ୍ୟପାଳ କାମ କରୁଛନ୍ତି ଏବଂ ଆଜି ସେ ଫ୍ଲୋର ଟେଷ୍ଟ ପାଇଁ ନୋଟିସ୍ ଦେଇଛନ୍ତି  । ସିଂଘବୀ କୋର୍ଟଙ୍କୁ ବାଚସ୍ପତିଙ୍କୁ ନିର୍ଣ୍ଣୟ ନେବାର ଅଧିକାର ଦେବାକୁ ଦାବି କରିଥିଲେ  । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ବିରୋଧରେ କୋର୍ଟରେ ସିଂଘବୀ ଗମ୍ଭୀର ଆରୋପ ଲଗାଇଥିଲେ । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସହ ଫ୍ଲୋର ଟେଷ୍ଟ ସମ୍ପର୍କରେ ଆଲୋଚନା କଲେ ନାହିଁ କିନ୍ତୁ ଫଡନାବୀସଙ୍କ ସହ ଆଲୋଚନା କଲେ ବୋଲି କହିଥିଲେ ।

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ପକ୍ଷ ନୀରଜ କିଷାନ କୌଲ ରଖିଥିଲେ  । ସେ ନିଜ ଦଲୀଲ ରେ କହିଥିଲେ, ଯେ  ଅଧ୍ୟକ୍ଷଙ୍କୁ ହଟାଯିବ କି ନାହିଁ  । ଏହା ଉପରେ ପ୍ରଥମେ ନିଷ୍ପତ୍ତି ନିଆଯାଉ  ।  ଫ୍ଲୋର ଟେଷ୍ଟରୁ ପ୍ରଥମେ ସ୍ପଷ୍ଟ କରାଯାଉ ଯେ ସରକାରଙ୍କ ପାଖରେ ବହୁମତ ଅଛି ନାଁ ନାହିଁ  । ଘୋଡା ବେପାର ରୋକିବା ପାଇଁ ଶୀଘ୍ର ହେଉ ଫ୍ଲୋର ଟେଷ୍ଟ  । ଉଦ୍ଧବଙ୍କ ପାଖରେ ବହୁମତ ନାହିଁ  । ଆମେ ହିଁ ପ୍ରକୃତ ଶିବସୈନିକ  । ୫୫ ମଧ୍ୟରୁ ୩୯ ଶିବସେନା ବିଧାୟକ ଅଛନ୍ତି  ।  ସଲିସିଟର ଜେନେରାଲ ତୁଷାର ମେହତା ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ପକ୍ଷ ରଖିଥିଲେ  । ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେବାକୁ ନିୟମ ଥିବା କଥା କହିଥିଲେ  ।