ନିର୍ବାଚନ ବେଳେ ରାଜନୈତିକ ଦଳଙ୍କ ଫ୍ରି ଅଫର ଉପରେ ରୋକ୍ ଲାଗୁ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଘୋଷଣା କରାଯାଉଥିବା ମାଗଣା ଯୋଜନା ଉପରେ ରୋକ୍ ଲଗାଇବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ଅନେକ ସମୟରେ ଦେଖାଯାଇଥିାଏ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡିକ ନିର୍ବାଚନ ସମୟରେ ଅନେକ ମାଗଣା ଯୋଜନା ଘୋଷଣା କରିଥାନ୍ତି । ଏହାଦ୍ୱାରା ଜନମତ ପ୍ରଭାବିତ ହେଉଛି ବୋଲି ଜଣେ ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ ।

ଏହା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁପ୍ରିମକୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇ ଏହା ଉପରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ୩ ଅଗଷ୍ଟରେ ହେବ । ଭୋଟରଙ୍କୁ ଲୋଭାୟିତ କରିବା ପାଇଁ ମାଗଣା ଯୋଜନାର ଘୋଷଣା ଉପରେ ସୁପ୍ରିମକୋର୍ଟ ୩ ମାର୍ଚ୍ଚରେ ଆପତ୍ତି ପ୍ରକାଶ କରିଥିଲେ । ଏହାପରେ ଆବେଦନକାରୀ ଯାଚିକା ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ମଙ୍ଗଳବାର କୋର୍ଟ ଏହି ପ୍ରକାରର ଅନ୍ୟ ଏକ ମାମଲାରେ ଶୁଣାଣି  କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅର୍ଥ ଆୟୋଗ ସହ ଆଲୋଚନା କରନ୍ତୁ । ମାଗଣାରେ ଖର୍ଚ୍ଚ କରାଯାଇଥିବା ପଇସାକୁ ଧ୍ୟାନରେ ରଖି ଯାଞ୍ଚ କରନ୍ତୁ । ନିର୍ବାଚନ ଆୟୋଗ ପରାମର୍ଶ ଦେଇଛି ଯେ, ସରକାର ଏହି ପ୍ରସଙ୍ଗ ସହ ମୁକାବିଲା ପାଇଁ ନୂଆ ଆଇନ ଆଣିପାରିବେ । ସରକାରଙ୍କ ତର୍କ ଥିଲା ଯେ ଏହି ମାମଲା ନିର୍ବାଚନ ଆୟୋଗ ଅଧୀନରେ ଆସୁଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଏହା ଉପରେ ପଦକ୍ଷେପ ନେବାକୁ ପଛଘୁଞ୍ଚା କାହିଁକି ଦେଉଛନ୍ତି । ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ।