କବର ଖୋଳି ମାଟି ତଳୁ ମହିଳାଙ୍କ ଶବ ବାହାର କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ କୁତ୍ରା ଥାନା ଖତକୁରବାହାଲରେ ଚାଞ୍ଚଲ୍ୟ। ଥାନାରେ ଏତଲା ପରେ କବର ଖୋଳି ମାଟି ତଳୁ ମହିଳାଙ୍କ ଶବ ବାହାର କଲା ପୋଲିସ। ଶାଶୁ ଘର ଲୋକ ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବାପଘର ଲୋକ। ସୂଚନା ଅନୁସାରେ, ରାଉରକେଲା ନାଲାରୋଡ଼ର ସରିନ, କୁତ୍ରା ଥାନା ଖତକୁରବାହାଲ ଅଞ୍ଚଳର ମନାୱାର ରାଜାଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ। ହେଲେ ଗତ ୨୭ ତାରିଖରେ ସରିନଙ୍କୁ ହାର୍ଟ ଆଟାକ ହୋଇଛି, ତେଣୁ ତାଙ୍କୁ ହସ୍ପିଟାଲ ନେଉଛୁ କହି ଶ୍ବଶୁର ଘର ଲୋକେ ସରିନଙ୍କ ଭାଇ ୱାସିମଙ୍କୁ ଜଣାଇଥିଲେ। ଏହାର କିଛି ସମୟ ପରେ ସରିନଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ସରିନଙ୍କ ଶାଶୁ ଘରେ ପହଞ୍ଚି ପଚରାଉଚରା କରିଥିଲେ। ହେଲେ ସରିନଙ୍କ ମୃତ୍ୟୁକୁ ନେଇ ଶାଶୁ ଘର ଲୋକଙ୍କ କଥାରେ କୌଣସି ତାଳମେଳ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବିଭିନ୍ନ ବାହାନା କରି ତରବରିଆ ଭାବରେ ମଧ୍ୟ ଅନ୍ତିମ ସଂସ୍କାର କରି ଦିଆଗଲା। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ହୋଇଥିଲା।  ଘଟଣାକୁ ନେଇ ସରିନଙ୍କ ଭାଇ କୁତ୍ରା ଥାନାରେ ଏତଲଶ ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବରସ୍ଥାନ ଖୋଳି ମହିଳାଙ୍କ ମୃତଦେହ ଜବତ କରାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ଜଣାପଡିବ। ଘଟଣାର ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ମୃତକଙ୍କ ଭାଇ। ଅନ୍ୟପଟେ ସ୍ତ୍ରୀଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତକଙ୍କ ସ୍ୱାମୀ।