୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୧୪ରୁ ୧୮ ବୟସ୍କ ୨୪ ହଜାର ପିଲା କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: ଦେଶରେ ପିଲାଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୧୪ରୁ ୧୮ ବୟସ୍କ ୨୪ ହଜାର ପିଲା ଆତ୍ମହତ୍ୟା କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୭ରୁ ୨୦୧୯ ମଧ୍ୟରେ ୧୩ ହଜାର ୩୨୫ ବାଳିକାଙ୍କ ସମେତ ୨୪ ହଜାର ୫୬୮ ପିଲା ଆତ୍ମହତ୍ୟା କରିଛନ୍ତି। ୨୦୧୭ରେ ୮ ହଜାର ୨୯ ପିଲା ଆତ୍ମହତ୍ୟା କରିଥିବା ବେଳେ ୨୦୧୮ରେ ୮ ହଜାର ୧୬୨ ଓ ୨୦୧୯ରେ ୮ ହଜାର ୩୭୭ ପିଲା ଆତ୍ମହତ୍ୟା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୩ ହଜାର ୧୧୫ ପିଲା ଆତ୍ମହତ୍ୟା କରିଥିବା ବେଳେ ପଶ୍ଚିମବଙ୍ଗରେ ୨ ହଜାର ୮୦୨ ପିଲା ଆତ୍ମହତ୍ୟା କରିଛନ୍ତି। ତୃତୀୟ ସ୍ଥାନରେ ରହିଛି ତାମିଲନାଡୁ।

ଏହି ରାଜ୍ୟରେ ୨ ହଜାର ୩୫ ପିଲା ଏହି ସମୟ କାଳ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଫେଲ ହେବା କାରଣରୁ ସର୍ବାଧିକ ୪ ହଜାର ୪୬ ପିଲା ଆତ୍ମହତ୍ୟା କରିଛନ୍ତି। ବୈବାହିକ କାରଣକୁ ନେଇ ୬୩୯ ପିଲା ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ବାଳିକା ହେଉଛନ୍ତି ୪୧୧। ପ୍ରେମ ବ୍ୟାପାରକୁ ନେଇ ୩ ହଜାର ୩୧୫ ପିଲା ଆତ୍ମହତ୍ୟା କରିଛନ୍ତି। ସେପଟେ ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିଛନ୍ତି ୨ ହଜାର ୫୬୭ ପିଲା। ଶାରୀରିକ ଆକ୍ରମଣ କାରଣରୁ ୮୧ ଜଣ ପିଲା ପ୍ରାଣ ହରାଇଛନ୍ତି। ଏହାସହ ନିଶାଦ୍ରବ୍ୟ ସେବନ, ମାଦକଦ୍ରବ୍ୟ ସେବନ, ଅନୈତିକ ସମ୍ପର୍କରୁ ଗର୍ଭବତୀ, ସାମାଜିକ କୁଖ୍ୟାତି, ବେକାରୀ, ଦାରିଦ୍ର୍ୟ, ଆଦର୍ଶଗତ ସଂକଟ କାରଣରୁ ବି କିଛି ପିଲା ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ବିଭିନ୍ନ କାରଣରୁ ପିଲାମାନେ ଆତ୍ମହତ୍ୟା କରୁଥିବା ବେଳେ କୋଭିଡ କାଳରେ ଏହି ବର୍ଗର ପିଲାଙ୍କ ମାନସିକ ସ୍ଥିତି ଅଧିକ ଦୁର୍ବଳ ହୋଇଛି। ଫଳରେ ସେମାନଙ୍କ ଆତ୍ମହତ୍ୟା ସଂଖ୍ୟା ବଢିବାରେ ଲାଗିଛି। ଅବସାଦ, ନିଜ ଉପରେ ବିଶ୍ୱାସର ଅଭାବ, ପ୍ରତିଯୋଗିତାରେ ହାରିବା ନେଇ ସନ୍ତାପ, ଆର୍ଥିକ ଅସ୍ଥିରତା, ମାନସିକ ଚାପ, ବିଭିନ୍ନ ପ୍ରକାର କ୍ଷତି ଆଦି କାରଣରୁ ବି ସେମାନେ ଆତ୍ମହତ୍ୟାର ପଥ ବାଛୁଥିବା ସ୍ପଷ୍ଟ ହୋଇଛି। ବିଭିନ୍ନ ସଂକଟରେ ପଡିଥିବା ପିଲାଙ୍କୁ ସହାୟତା ଦେବା ଲାଗି ଅନେକ ସମୟରେ କେହି ଆସୁନାହାନ୍ତି ବା ସେମାନଙ୍କୁ ସାହା ହେବା ଲାଗି ପରିବାର ସାଥ୍ ଦେଉନି। ଏହି କାରଣରୁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଥିବା ପରିଲକ୍ଷିତ ହୋଇଛି।

Leave a Reply