ଏନପିସି ଓପନ ବଡ଼ି ବିଲଡିଂ ଚାମ୍ପିଅନସିପରେ ଓଡ଼ିଆ ବଡ଼ି ବିଲ୍ଡରଙ୍କ ସଫଳତା

1 min read

ଭୁବନେଶ୍ବର: କମାଲ ଦେଖାଇଲେ ଓଡ଼ିଆ ବଡ଼ି ବିଲ୍‌ଡର । NPC ଓଡ଼ିଶା ବଡ଼ି ବିଲ୍‌ଡିଂ ଚାମ୍ପିଅନସିପରେ ଚମକିଲେ ଜଗନ୍ନାଥ ଖୁଣ୍ଟିଆ । ହାତେଇଲେ ମିଷ୍ଟର ଓଡ଼ିଶା ଟାଇଟଲ । ମହିଳା ବର୍ଗରେ ଚମକିଲେ ଓଡ଼ିଆ ଝିଅ ଜ୍ୟୋତ୍ସ୍ନାରାଣୀ ।  ଭୁବନେଶ୍ବର ରେଲଓ୍ବେ ଇଣ୍ଟୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ରାଜ୍ୟର ପ୍ରଥମ ବଡ଼ି ବିଲ୍‌ଡିଂ ଚାମ୍ପିଅନସିପ । NPC ଓଡ଼ିଶା ବଡ଼ିବିଲ୍‌ଡିଂ ଫେଡରେସନ ଓ RR-27 ଜିମ୍ ଦ୍ବାରା ଆୟୋଜିତ ଏହି ଦିନିକିଆ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରରୁ 60 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ଆରମ୍ଭରୁ ମହିଳା ପ୍ରତିଯୋଗୀମାନେ ବିୟୁଟି ମେକଅପ୍ ନେବା ସହ ଟ୍ରେନରଙ୍କଠାରୁ ଟିପ୍‌ସ ନେଇଥିଲେ । ଡ୍ରେସିଂ ରୁମରେ କମ୍ପିଟିସନ ପୂର୍ବରୁ ଓ୍ବାର୍କଆଉଟ୍ ମଧ୍ୟ କରିଥିଲେ ।  ପୁରୁଷ ବଡ଼ି ବିଲ୍ଡରଙ୍କ ଭଳି ଏତେ ବଡ଼ ପ୍ଲାଟଫର୍ମ ମିଳିଥିବାରୁ ବେଶ ଖୁସି ଥିଲେ ମହିଳା ପ୍ରତିଯୋଗୀ ।

ରାଜ୍ୟର ଏହି ସର୍ବବୃହତ୍ତ ବଡ଼ି ବିଲଡିଂ ଚାମ୍ପିଅନସିପ ୯ଟି କ୍ୟାଟାଗୋରୀରେ ଖେଳାଯାଇଥିଲା । ଏଥିରେ ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡ଼ିଶା ଟାଇଟଲ ହାତେଇ ଥିବାବେଳେ ଓ୍ବିମେନ କ୍ୟାଟାଗୋରୀରେ ଶ୍ରେଷ୍ଠ ବଡ଼ି ବିଲ୍ଡର ହୋଇଥିଲେ ଜ୍ୟୋତ୍ସ୍ନାରାଣୀ ରାଉତରାୟ । ମେନ୍ସ କ୍ଲାସିକ୍ ଫିଜିକ୍‌ରେ ଜଗନ୍ନାଥ ଖୁଣ୍ଟିଆ, ମେନ୍ସ ଫିଜିକ୍ ଓଭରାଲରେ ଗୁରୁପ୍ରସାଦ ସାହୁ ଓ ମେନ୍ସ ବଡ଼ି ବିଲଡିଂ ଅଣ୍ଡର ୭୦ କେଜିରେ ସନ୍ତୋଷ ପ୍ରଧାନ ଓ ୭୦ କେଜିରୁ ଊର୍ଦ୍ଧ୍ବରେ ଜଗନ୍ନାଥ ଖୁଣ୍ଟିଆ ପ୍ରଥମ ସ୍ଥାନ ହାସଲ କରିଥିଲେ । ପ୍ରତିଯୋଗିତାରେ ଆକର୍ଷଣ ସାଜିଥିଲେ ଷ୍ଟାର ବଡ଼ି ବିଲ୍ଡର ପରମାନନ୍ଦ ପ୍ରଧାନ । ଏହି ଦିବ୍ୟାଙ୍ଗ ଆଥଲେଟଙ୍କ ବଡ଼ି ଓ କଳା କୌଶଳ ସମସ୍ତଙ୍କୁ ସ୍ତମ୍ବିଭୂତ କରିଥିଲା ।

ଏଭଳି ଏକ ପ୍ରତିଯୋଗିତା ଆୟୋଜନ କରି ଆୟୋଜକ ବେଶ ଖୁସି ଅନୁଭବ କରିଥିବାବେଳେ ଆସନ୍ତା ବର୍ଷ ମଧ୍ୟ ଭୁବନେଶ୍ବରରେ ମେଗା ଚାମ୍ପିଅନସିପ ଖେଳାଯିବ ବୋଲି ଘୋଷଣା କରିଛନ୍ତି ।