ଯୋଜନା ନାଁରେ ମିଳୁଛି ଯନ୍ତ୍ରଣା; ଜନନୀ ଯନ୍ତ୍ରଣାରୁ ବଳିଯାଇଛି ସୁଭଦ୍ରା କଷ୍ଟ

1 min read

ରାୟଗଡା: ଯୋଜନା ନାଁରେ ମିଳୁଛି ଯନ୍ତ୍ରଣା । ପ୍ରତିଶୃତି ଦେଇ ଠକିଦେଲେ। ବିଜେପି ସରକାର। ଜନନୀ ଯନ୍ତ୍ରଣାରୁ ବଳିଯାଇଛି ସୁଭଦ୍ରା ଯନ୍ତ୍ରଣା । ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର । ହେଲେ ଶାସନକୁ ଆସିବା ପରେ ବର୍ଷକୁ ଦୁଇଟି କିସ୍ତିରେ ମାତ୍ର ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଆଉ ଏବେ ସେହି ଦୁଃଖରୁ ବଳି ପଡ଼ିଛି ଆବେଦନ ପ୍ରକ୍ରିୟା । ଆଧାରରେ ଫୋନ୍ ଲିଙ୍କ୍ କରିବା ସାଙ୍ଗକୁ ଫର୍ମପୂରଣ କରିବାକୁ ଜନସେବା କେନ୍ଦ୍ରରେ ଲାଗୁଛି ଲମ୍ବା ଲାଇନ୍ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ପ୍ରାୟ ୪୨ ହଜାର ୯୨୪ ଜଣ ମହିଳା ଫର୍ମ ପୂରଣ କରିବାକୁ ହନ୍ତସନ୍ତ ହେଉଛନ୍ତି । ତେବେ ପ୍ରଶ୍ନ ଉଠୁଛି- ମହିଳାମାନେ କଣ ସତରେ ବାର୍ଷିକ ୧୦ ହଜାର ଟଙ୍କା ପାଇବେ? ନା ଯୋଜନା କେବଳ ପ୍ରତିଶୃତି ପାଲଟିବ ।

ବିଜେପି ସରକାରଙ୍କ ନୀତି ନିୟମରେ ଏବେ ଅଣନିଶ୍ଵାସୀ ପାଲଟିଲେଣି ଜନସାଧାରଣ । ଜନସେବା କେନ୍ଦ୍ରଗୁଡିକରେ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରିବାକୁ ଯାଇ ହନ୍ତସନ୍ତ ହେଉଛନ୍ତି ମହିଳା। ଦିନ ତାମାମ ସାଇଟ୍ ଖୋଲୁ ନଥିବା ବେଳେ ଛୋଟ ଛୁଆଙ୍କୁ ଧରି ଘଣ୍ଟା ଘଣ୍ଟା ଧରି ଜନସେବା କେନ୍ଦ୍ର ବାରଣ୍ଡାରେ ବସିରହୁଛନ୍ତି ମହିଳା । ସେହିପରି କିଛି ମହିଳା ଦିନ ମଜୁରୀ ଛାଡି ଖରା ବର୍ଷାକୁ ଖାତିରି ନକରି କେନ୍ଦ୍ର ବାହାରେ ଜଗି ବସୁଥିବା ନେଇ ଦେଖିବାକୁ ମିଳିଛି। ତେବେ ନୂଆ ସରକାର ଆସିବା ପରେ ଗ୍ରାମବାସୀ ଏବେ ଦ୍ଵନ୍ଦ୍ଵରେ ପଡିଯାଇଛନ୍ତି । ବାସ୍ତବରେ  ବିକାଶ ଆଡକୁ ଯିବେ ନା  ତଳିତଳାନ୍ତ ହେବେ, ସେ ନେଇ ଚିନ୍ତାରେ ଦିନ କାଟୁଛନ୍ତି ।  ଯୋଜନା ହୋଇଛି ମହିଳାଙ୍କ ସୁବିଧା ପାଇଁ । ହେଲେ ଏହି ସୁବିଧା ଏତେ ଯନ୍ତ୍ରଣା ପରେ କଣ କାମରେ ଆସିବ ତାକୁ ନେଇ ସନ୍ଦେହରେ ମହିଳା ।