ପାଟକୁରା ଓ ଡେରାବିଶ ଅଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନରେ ବ୍ୟାପକ ଅନିୟମିତତା

କେନ୍ଦ୍ରାପଡ଼ା: ପାଟକୁରା ଓ ଡେରାବିଶ ଅଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନରେ ବ୍ୟାପକ ଅନିୟମିତତା। ଡେରାବିଶ ବ୍ଲକରେ ସୁଭଦ୍ରା ଯୋଜନା ପାଇଁ ଆବେଦନକାରୀଙ୍କୁ ଜନ ସେବା କେନ୍ଦ୍ର ଟଙ୍କା ମାଗୁଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି। ଏନେଇ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅଭିଯୋଗ ପତ୍ର ମଧ୍ୟ ପଠାଯାଇଥିଲା। ଟଙ୍କା ମାଗୁଥିବା ଅଭିଯୋଗ ପରେ ଡେରାବିଶ ରଘୁଦେଇପୁର ପଞ୍ଚାୟତର ବେଲାରପୁର ଗାଁର ଦୁଇ ଜନସେବା କେନ୍ଦ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ଦୁଇ ଜନ ସେବା କେନ୍ଦ୍ରର ପରିଚାଳକ ଶ୍ରୀକାନ୍ତ କୁମାର ନାୟକ ଓ ତପନ କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡେରାବିଶ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଡେରାବିଶ ସରଦେଇପୁରର ଅଙ୍ଗନବାଡି କର୍ମୀ ପୁଷ୍ପଲତା ପଣ୍ଡା ଆବେଦନକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ତାଙ୍କର ଦରମା ବନ୍ଦ କରାଯାଇଛି। ଡେରାବିଶ ବିଡ଼ିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଏନେଇ ତଦନ୍ତ କରିଛନ୍ତି। ଅନ୍ୟପଟେ ପାଟକୁରା ଶ୍ରୀଚନ୍ଦନ ପୁରରେ ମଧ୍ୟ ଜନସେବାକେନ୍ଦ୍ରରେ ଆଇଡି ହ୍ୟାକ ହୋଇଥିବା ଅଭିଯୋଗ ଆସିଛି। ଡେରାବିଶର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ବିଦୁ ଭୂଷଣ ମହାପାତ୍ର ସୁଭଦ୍ରା ଯୋଜନା ଆବେଦନକୁ ପ୍ରହସନ ବୋଲି କହିଛନ୍ତି।