ରାଜ୍ୟ ସରକାର ମେଡିକାଲ ପଢିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ  

ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ମାନବ ସେବାର ପଡିଲା ନିଅ । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚ୍ଚୁଆଲରେ ଯୋଗଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନୂଆ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ବପ୍ନ ପୂରଣ ପାଇଁ ସୁନ୍ଦର ଭିତ୍ତିଭୂମି ପ୍ରସ୍ତୁତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ । ସରକାରୀ ସ୍କୁଲରେ ପଢିଥିବାରୁ ରାଜ୍ୟ ସରକାରଙ୍କ କୋଟାରେ ମେଡିକାଲ କଲେଜରେ ପଢିବାର ସୁଯୋଗ ପାଇଛନ୍ତି ବାଲେଶ୍ବରର ରାଧାବଲ୍ଲଭ ବେହେରା ଏବଂ ମୟୂରଭଞ୍ଜର ଭଟ୍ଟ ହେମ୍ବ୍ରମ୍ ।

ରାଧାବଲ୍ଲଭ କହିଛନ୍ତି, ସେ ଜଣେ ଭାଗଚାଷୀଙ୍କ ପୁଅ । ସରକାରୀ ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ସେ ମେଡିକାଲ ପଢିବାର ସୁଯୋଗ ପାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ମୟୂରଭଞ୍ଜର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅତି ଗରିବ ପରିବାରରୁ ଆସିଥିବା ଭଟ୍ଟ ହେମ୍ବ୍ରମ୍‌ଙ୍କର ଡାକ୍ତର ହେବା ସ୍ବପ୍ନ ପୂରଣ ହୋଇଛି । ତାଙ୍କ ବାପା ଜଣେ ଦିନ ମଜୁରିଆ ଓ ୮ ଜଣ ଭାଇଭଉଣୀଙ୍କୁ ନେଇ ତାଙ୍କ ବଡ଼ ପରିବାର । ତେବେ ନିଜ ଦୃଢ଼ ମନୋବଳ ଓ ସରକାରୀ ସ୍କୁଲରେ ପଢିଥିବା ପିଲାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପାଇଁ ସେ ମେଡିକାଲ ପଢିବା ସୁଯୋଗ ପାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଗ୍ରାମୀଣ ଅଞ୍ଚଳରେ କାମ କରିବା ସହ ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ଓଡିଶାର ସରକାରୀ ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।