୨୮୭ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକାଠି ଯୋଡ଼ୁଛି ‘ଭର୍ଚୁଆଲ କ୍ଲାସ୍’; ଏକାଠି ପଢ଼ୁଛନ୍ତି ୪୦ ହଜାର ପିଲା
1 min read
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି ‘ଭର୍ଚୁଆଲ କ୍ଲାସ’ । ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବି ପଢ଼ାଇ ପାରନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଚଲାଇଥିବା ‘ଭର୍ଚୁଆଲ କ୍ଲାସ’ ଏହାର ଏକ ଉଦାହରଣ। ଏହି ‘ଭର୍ଚୁଆଲ କ୍ଲାସ’ ମାଧ୍ୟମରେ ଏକାଥରକେ ୨୮୭ଟି ସ୍କୁଲର ଫିଲାମାନେ ଏକାଠି ପାଠ ପଢ଼ିପାରୁଛନ୍ତି ।
୨୦୧୯ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରି ଏହି ‘ଭର୍ଚୁଆଲ କ୍ଲାସ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଅଧୀନରେ ଭି-ସାଟ୍ ଲିଙ୍କ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା। ଆଜି ସେହି ସଂଖ୍ୟା ୨୮୭ଟି ସ୍କୁଲର ୫୭୨ଟି କ୍ଲାସରୁମକୁ ସଂପ୍ରସାରିତ ହୋଇପାରିଛି। ଏହା ଫଳରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେଉଛନ୍ତି।
ଭର୍ଚୁଆଲ କ୍ଲାସ ମାଧ୍ୟମରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଷ୍ଟୁଡିଓରେ ଥାଇ ଭଲଭାବେ ପାଠ ବୁଝାଉଛନ୍ତି। ସେମାନେ ବିଭିନ୍ନ ଚିତ୍ର ଏବଂ ଭିଡିଓ ଦେଖାଇ ପାଠ ପଢ଼ାଉଥିବାରୁ ଛାତ୍ତଛାତ୍ରୀମାନେ ଏଥିପ୍ରତି ଅଧିକ ଆଗ୍ରହ ଦେଉଛନ୍ତି। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏବେ ବିଜ୍ଞାନ, ଗଣିତ ଏବଂ ଭୂଗୋଳ ଆଦି ବିଷୟକୁ ପାୱାରପଏଣ୍ଟ ବ୍ୟବହାର କରି ପଢ଼ା ଯାଉଛି। ଏହି ନୂଆ ଧାରା ଫଳରେ ସେମାନଙ୍କ ମଧ୍ୟରେ ପାଠ ପ୍ରତି ଆଗ୍ରହ ବଢ଼ି ପାରିଛି ବୋଲି କହନ୍ତି ବଡ଼ଗାଁ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁନିତା ଲାକ୍ରା।
ଏହି ଭର୍ଚୁଆଲ କ୍ଲାସ ବର୍ତ୍ତମାନ ସପ୍ତାହରେ ୫ ଦିନ – ସୋମବାରଠାରୁ ଶୁକ୍ରବାର ଯାଏଁ ଚାଲୁଛି। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ଦୁଇଟି ଲେଖାଏଁ ପିରିୟଡରେ ପାଠପଢ଼ା ଯାଉଛି। ସେହିପରି ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିୟମିତ ବ୍ୟବଧାନରେ ପାଳିକରି ବିଭିନ୍ନ ବିଷୟରେ ଶିକ୍ଷାଦାନ କରାଯାଉଛି। ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ଫଳରେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ଥିବା ସ୍ମାର୍ଟ କ୍ଲାସରୁମକୁ ଏବେ ଭର୍ଚୁଆଲ କ୍ଲାସ ପାଇଁ ସହଜରେ ବ୍ୟବହାର କରାଯାଇପାରୁଛି।
ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ବିଜ୍ଞାନାଗାର କରାଯାଇଛି। ସେଠାରେ ବିଭିନ୍ନ ଆଧୁନିକ ବୈଜ୍ଞାନିକ ପ୍ରୟୋଗ ଲାଗି ସୁବିଧା ରହିଛି। ଭର୍ଚୁଆଲ କ୍ଲାସ ମାଧ୍ୟମରେ ଜିଲ୍ଲାର ଦକ୍ଷ ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସୁନ୍ଦରଗଡ଼ ଷ୍ଟୁଡିଓରେ ରହି ବିଜ୍ଞାନର ବିଭିନ୍ନ ପ୍ରକାର ପ୍ରୟୋଗ କରି ଦେଖାଉଛନ୍ତି। ଏହା ଫଳରେ ଏକ ସମୟରେ ଜିଲ୍ଲାର ଶତାଧିକ ସ୍କୁଲର ଛାତ୍ରଛାତ୍ରୀମାନେ ତାହା ଦେଖି ଶିଖିପାରୁଛନ୍ତି। ତା’ଛଡ଼ା ସଂପୃକ୍ତ ସ୍କୁଲର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏଥିରୁ ଶିଖି ନିଜ ନିଜ ସ୍କୁଲରେ ପିଲାଙ୍କୁ ସେଗୁଡ଼ିକର ପ୍ରୟୋଗ କରି ଦେଖାଉଛନ୍ତି।